( ସଂଜୁକ୍ତା): ଘୂର୍ଣ୍ଣିଝଡ଼ ତିତଲି ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଛତ୍ରପୁର ଆଦି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାରେ ବ୍ୟାପକ ଫସଲ ହାନି ଘଟିଛି । ଋଷିକୂଲ୍ୟା, ବଡନଦୀ, ବାହୁଦା, ଘୋଡ଼ାହାଡ, ବଂଶଧାରା ନଦୀର ଜଳପତନ ବୃଦ୍ଧି ପାଇଛି । ପାରଳାଖେମୁଣ୍ଡି ଓ ମୋହନାରେ ଗତ ରାତିରୁ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି ଆଜି ଭୋର୍ ସାଢ଼େ ୪ଟାରୁ ୬ଟା ମଧ୍ୟରେ ଜୋରଦାର୍ ପବନ ହୋଇଥିଲା । ପୁଣି ସକାଳ ୮ଟାରୁ ୧୦ଟା ମଧ୍ୟରେ ବଢିଥିଲା ପବନର ବେଗ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ଶହେରୁ ଉର୍ଦ୍ଧ୍ୱ ଥିବା କୁହାଯାଉଛି । ପ୍ରବଳ ବର୍ଷା ଯୋଗୁଁ ଲେଡ଼ବନ୍ଧ ନଦୀର ଜଳ ପତନ ବୃଦ୍ଧି ପାଇଛି । କେତେକ ସ୍ଥାନରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି । ବଡ ବଡ ଗଛସବୁ ଭାଙ୍ଗି ରାସ୍ତା ଉପରେ ପଡିଛି । ଏଥିପାଇଁ ବ୍ରହ୍ମପୁର-ରାୟଗଡ଼ା ମଧ୍ୟରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ସେହିପରି ଅଠରନଳା ପୋଲ ଉପରେ ୫ ଫୁଟ୍ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି ।