(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଓଡିଶା କୋରୋନା ଷ୍ଟେଜ-୩ ଆଡକୁ ଗତି କରୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ତେବେ କରୋନା ମହାମାରୀକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ ସଂକ୍ରମଣର ମାତ୍ରା ବଢ଼ି ଚାଲିଛି । କିନ୍ତୁ ପ୍ରବାସୀ ଓଡ଼ିଆଙ୍କୁ ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ରୋଗ ପ୍ରତିଷେଧନ ଶକ୍ତି ହିଁ ଆମକୁ କରୋନା ସଂକ୍ରମଣରୁ ବଞ୍ଚାଇ ପାରିବ ବୋଲି ବରିଷ୍ଠ ଚିକିତ୍ସକ ଡ. ପଣ୍ଡା କହିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି । ରବିବାର ସକାଳୁ ୫୮ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି । ଏହି ପ୍ରବାସୀମାନେ ହଟସ୍ପଟ୍ ଅଞ୍ଚଳରୁ ଆସିଥିବାରୁ ପଜିଟିଭ୍ ବାହାରିବା ସ୍ୱାଭାବିକ । ତେଣୁ ଭୟଭୀତ ହୁଅନ୍ତୁ ନାହିଁ ଏବଂ ଏହି ମହାମାରୀକୁ ନେଇ ଡ଼ରନ୍ତୁ ନାହିଁ ବୋଲି ସେ କହିଛନ୍ତି । ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨୯ଜଣ, ବାଲେଶ୍ୱର ଜିଲ୍ଲାର ୧୫ ଜଣ, ଅନୁଗୁଳ ଜିଲ୍ଲାର ୧୩ ଜଣ ଓ ମୟୁରଭଞ୍ଜ ଜିଳ୍ଲାର ଜଣେ ଆକ୍ରାନ୍ତ ରହିଛନ୍ତି । ବାହାର ରାଜ୍ୟରୁ ପ୍ରବାସୀ ଆସୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକ ସଂଖ୍ୟାରେ ସଂକ୍ରମଣ ଆମ ଗୋଷ୍ଠୀ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ରବିବାର ଆଉ ୨୯ ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି ।