ଆବାସ ଯୋଜନା ଶାନ୍ତିଲତା ପାଇଁ ସାତସପନ

(ଜୟନ୍ତ କୁମାର ସେଠୀ): ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି କିନ୍ତୁ ତାହା ତେଲିଆ ମୁଣ୍ଡରେ ତେଲ ସଦୃଶ୍ୟ ଭଳି । ସରକାରଙ୍କର ସମସ୍ତ ଯୋଜନା ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଠ ଥିବା ବେଳେ ଏହିସବୁ ଯୋଜନାର ଫାଇଦା ଉଠାଉଛନ୍ତି ଧନି ଲୋକ ମନେ । ସରକାରଙ୍କର ଯୋଜନା ଭିତରେ ବିଜୁ ପକ୍କା ଯୋଜନା ଅନ୍ୟତମ । ଏହି ଯୋଜନାଟି ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ତିଆରି ହୋଇଥିବା ବେଳେ ଏହାର ଲାଭ ପାଇପାରୁ ନାହାଁନ୍ତି ସାଧାରଣ ଗରିବ ଶ୍ରେଣୀର ଲୋକମାନେ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଗାଁରେ ଝାଟିମାଟି ତିଆରି ଚାଳଛପର ତଳେ ରହୁଛନ୍ତି ବିଧବା ଶାନ୍ତିଲତା ବିରିକ । ଖାଲି ସେତିକିରେ ତାହାର ଦୁଃଖ ସରୁନି । ବୋଝ ସାଙ୍ଗକୁ ନଳିତା ବିଡା ଭଳି ବେକରେ ଛନ୍ଦି ହୋଇଛି ମଧୁମେୟ ରୋଗାକ୍ରାନ୍ତରେ ପିଡିତ ଯୁବା ପୁଅ । ଶାନ୍ତିଲତାଙ୍କ ସ୍ୱାମୀ ଗତ ୭ ବର୍ଷ ପୂର୍ବରୁ ଆରପାରିକୁ ଚାଲିଗଲେଣି । ଜମି ବାଡି କଥା ଛାଡ ମୁଣ୍ଡ ଗୁଞ୍ଜିବା ପାଇଁ ଛୋଟ ଘରଟିଏ ଥିଲା ତାହା ଲଗାଣ ବର୍ଷାରେ ଭାଙ୍ଗି ଯିବା ଫଳରେ ରହିବା ପାଇଁ ଜାଗାଟିଏ ନାହିଁ । ଶାନ୍ତିଲତା ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାହାର ଦୁଃଖ ଭରା କାହାଣୀ ସରକାର କର୍ଣ୍ଣପାତ କରୁନାହାଁନ୍ତି । ସ୍ୱାମୀଙ୍କ ବିୟୋଗ ପରେ ପରିବାର ସମସ୍ତ ବୋଝ ଶାନ୍ତିଲତାଙ୍କ ଉପରେ ପଡିଥିଲା । ଏପର୍ଯ୍ୟନ୍ତ ତାଙ୍କୁ ସରକାରୀ ଯୋଜନାରେ ଘର ଖଣ୍ଡିଏ ମିଳିପାରିନାହିଁ । ଏନେଇ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଶୀଘ୍ର ବିଜୁ ପକ୍କା ଘର ଦିଆଯିବ ।
ଯଦି ଏଭଳି ଦୁଃଖ କଷ୍ଟଭରା ଜୀବନ ଯାପନ କରୁଥିବା ଶାନ୍ତିଲତାଙ୍କୁ ସରକାରଙ୍କର ଯୋଜନା ଅନୁଯାଇ ଘରଖଣ୍ଡିଏ ନ ମିଳେ ତେବେ ଯୋଜନା ପରେ ଯୋଜନା କରିକି କି ଲାଭ ।