ବିଜେଡ଼ିରୁ ପ୍ରାର୍ଥୀ ହେବେ ୮ ଅବସରପ୍ରାପ୍ତ ଆଇଏଏସ୍

0

ରାଜନୀତି ପ୍ରତି ମନ ବଳାଉଛନ୍ତି ଆଇଏଏସ୍ ଓ ଆଇପିଏସ୍
ଚାକିରି ଛାଡ଼ି ରାଜନୈତିକ ଦଳରେ ଯୋଗ ଦେଉଛନ୍ତି
 କେନ୍ଦ୍ର ସରକାରରେ ମାଳମାଳ ଆଇଏଏସ୍ ଏବେ ନେତା ଓ ମନ୍ତ୍ରୀ
 ପ୍ରଶାସନିକ ଅଧିକାରୀ ହୋଇଛନ୍ତି ଦୁଇ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଂଚଳିକ ଦଳରେ ମଧ୍ୟ ନେତା ହୋଇଛନ୍ତି ଆଇଏଏଏସ୍

ଆସନ୍ତା ନିର୍ବାଚନରେ ବିଜେଡ଼ିରୁ ପ୍ରାର୍ଥୀ ହୋଇ ପାରନ୍ତି ୮ ଆଇଏଏସ୍
ଫୋକସରେ କେନ୍ଦ୍ରାପଡ଼ା, ବ୍ରହ୍ମଗିରି, ଖଣ୍ଡପଡ଼ା, ନିମାପଡ଼ା ଓ

ଭୁବନେଶ୍ୱର ମଧ୍ୟ, ଭଳି ଆସନ

ଭୁବନେଶ୍ୱେର: ରାଜନୀତିରେ ଏବେ ନୂଆ ଟ୍ରେଣ୍ଡ୍ । ପ୍ରଶାସନିକ ଦାୟିତ୍ୱରେ ଥିବା ଆଇଏଏସ୍ ବାବୁମାନେ ଏବେ ରାଜନୀତି କରିବାକୁ ମନ ବଳାଇଲେଣି । ଆଇଏଏସ୍ ପରେ ଏବେ ଆଇପିଏସ ଅଧିକାରୀମାନେ ମଧ୍ୟ ରାଜନୀତିକୁ ଲମ୍ଫ ଦେଲେଣି । ଯାହାକୁ ନେଇ ଏବେ ଭିନ୍ନ ଭିନ୍ନ ଚର୍ଚା । ପ୍ରଶାସନିକ ଅଧିକାରୀମାନଙ୍କ ଏଭଳି ରାଜନୈତିକ ଦଳରେ ମିଶିବା ଘଟଣାକୁ ଅନେକ ପସନ୍ଦ କରୁଥିବାବେଳେ ଅନେକ ନାପସନ୍ଦ ମଧ୍ୟ କରୁଛନ୍ତି ।

କିନ୍ତୁ ଏହାରି ମଧ୍ୟ ଦେଶରେ କଂଗ୍ରେସଠାରୁ ଆରମ୍ଭ କରି ବିଜେପି ଭଳି କେନ୍ଦ୍ରୀୟ ଦଳରେ ଏକାଧିକ ଆଇଏଏସ୍ ଓ ଆଇପିଏସ୍ମାନେ ନେତା ହୋଇଛନ୍ତି । ଏପରିକି କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି । କେନ୍ଦ୍ର ସରକାରରେ ଅଶି୍ୱନୀ ବୈଷ୍ଣବ, ରାମଚନ୍ଦ୍ର ପ୍ରସାଦ ସିଂହ, ରାଜ କୁମାର ସିଂହ, ସତ୍ୟପାଲ ସିଂହ, ହରଦୀପ ସିଂହ ପୁରୀ, ଏସ୍ ଜୟଶଙ୍କର ମନ୍ତ୍ରୀ ହୋଇଛନ୍ତି । ଅରବିନ୍ଦ କେଜ୍ରିୱାଲ ଓ ଅଜିତ ଯୋଗୀ ଭଳି ନେତା, ଯେଉଁମାନେ ପ୍ରଶାସନିକ ପଦ ପଦବି ଛାଡ଼ି ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି ।

ଓଡ଼ିଶା କ୍ୟାଡର ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ ଏବେ ଭୁବନେଶ୍ୱର ସାଂସଦ । ଅଶି୍ୱନୀ ବୈଷ୍ଣବ ରେଳବାଇ ମନ୍ତ୍ରୀ । ପୂର୍ବତନ ଡିଜି ପ୍ରକାଶ ମିଶ୍ର ଓ ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଏବେ ବିଜେପିରେ । କେବଳ ବିଜେପି କାହିଁକି ବିଜେଡ଼ି ଦଳରେ ଅବସରପ୍ରାପ୍ତ ଆଇପିଏସ ଅରୂପ ପଟ୍ଟନାୟକ ମଧ୍ୟ ଯୋଗ ଦେଇଛନ୍ତି । ୨୦୧୯ରେ ସେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । କିଛି ମାସ ତଳେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଇଥିଲେ । ପୂର୍ବତନ ପୁଲିସ ଆଇଜି ବଟକୃଷ୍ଣ ତ୍ରିପାଠୀ ଏବେ ବି କଂଗ୍ରେସରେ ।

ଆଇଏଏସ୍ ଓ ଆଇପିଏସମାନେ ରାଜନୀତିକୁ ଆସିବାକୁ ଇଛା ଥିବା ଜାଣି ବିଜେଡ଼ି ଏବେ ତାର ରଣନୀତି ପରିର୍ବତନ କରିବାକୁ ଯାଉଛି । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡ଼ି ପାଖାପାଖି ୮ରୁ ୧୦ଟି ସ୍ଥାନରେ ଆଇଏଏସ୍ ଓ ଆଇପିଏସ୍ମାନଙ୍କୁ ଟିକେଟ୍ ଦେବାକୁ ଯୋଜନା କରିଛି । ଏଥି ମଧ୍ୟରୁ ୫ ଜଣ ଓଡ଼ିଆ ଆଇଏଏସ୍ ବୋଲି ଚର୍ଚା ।

ଯେଉଁ ସବୁ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ରହିଛି ସେହୁ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ଏହା ଛଡ଼ା ଯେଉଁ ନେତାମାନଙ୍କ ଉପରେ ଦଳ ଅସନ୍ତୁଷ୍ଟ ସେହି ସବୁ ନେତାଙ୍କୁ ହଟାଇ ସେଠାରେ ଏହି ପ୍ରଶାସନିକବାବୁମାନଙ୍କୁ ପ୍ରାର୍ଥୀ କରାଯିବ ବୋଲି କୁହାଯାଉଛି ।

ଏଥି ମଧ୍ୟରେ ଭୁବନେଶ୍ୱର ମଧ୍ୟ, କେନ୍ଦ୍ରାପଡ଼ା, ନିମାପଡ଼ା, ଖଣ୍ଡପଡ଼ା, ମାହାଙ୍ଗା ବ୍ରହ୍ମଗିରି, ଭୋଗରାଇ, ଭବାନୀପାଟଣା, ନର୍ଲା, ବ୍ରହ୍ମଗିରି, ପଦ୍ମପୁର, ଧର୍ମଶାଳା, ପାରାଦ୍ୱୀପ ଭଳି ନିର୍ବାଚନମଣ୍ଡଳୀ ରହିଛି ବୋଲି ଶୁଣିବାକୁ ମିଳୁଛି । ସଂସଦୀୟ କ୍ଷେତ୍ର ଭାବେ କଟକରୁ ଭର୍ତୃହରି ମହତାବଙ୍କ ବଦଳରେ ଦଳ ଜଣେ ଅବସରପ୍ରାପ୍ତ ଓଏଏସ୍ଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚା ହେଉଛି ।
ତେବେ ଦେଖିବାକୁ ବାକି ରହିଲା ବିଜେଡ଼ି ଆସନ୍ତା ନିର୍ବାଚନରେ କେତେ ଜଣ ଆଇଏଏସ୍ଙ୍କୁ ଟିକେଟ୍ ଦେଉଛି । ଆଉ ସେମାନଙ୍କ ମଧ୍ୟରୁ କେଉଁମାନଙ୍କୁ ଭୋଟର ପସନ୍ଦ କରୁଛନ୍ତି ।
REPORT BY. TAPAS DAS