ପାଟଣା: ମଣିଷ ଭୁଲିଯାଉଛି ମାନବିକତା । ମଣିଷ ବଂଚିଥିବା ବେଳେ ତା ସହ କେତେ ଅନ୍ୟାୟ ଅତ୍ୟାଚାର ହେଉଛି କିନ୍ତୁ ମଣିଷ ମରିଗଲେ ତା ଶବସହ ମୂଲଚାଲ୍ କରିବାକୁ ମଧ୍ୟ ପଛାଉନାହାନ୍ତି ଏ ରାକ୍ଷାସରୂପି ମଣିଷ । ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । ବାର ଦୁଆର ବୁଲୁଛନ୍ତି ବାପା-ମା’ । ବୁଲିବୁଲି ମାଗୁଛନ୍ତି ଭିକ । ହେଲେ ପେଟ ପୋଷିବା ପାଇଁ ନୁହେଁ, ପୁଅର ମୃତଦେହ ପାଇଁ । ୫୦ ହଜାର ଟଙ୍କା ଲାଞ୍ଚ ଦେଲେ ମିଳିବ ପୁଅର ଶବ । ଏପରିକି ହସ୍ପିଟାଲ ଓ ବାହାରେ ଲୋକଙ୍କ ନିକଟରେ ଟଙ୍କା ଲାଗି ଆକୁଳ ନିବେଦନ କରୁଛନ୍ତି ବାପା ମା । ଏଭଳି ଘଟଣା ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏହି ସ୍ପର୍ଶକାତର ଘଟଣା ବିହାର ସମସ୍ତିପୁର ସଦର ହସ୍ପିଟାଲର , ଏ ଘଟଣା ଟି ଏବେ ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଛି । କିଛି ଦିନ ତଳେ ମହେଶ ଠାକୁର ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କ ପୁଅ ନିଖୋଜ ହୋଇ ଯାଇଥିଲେ । ଅନେକ ଖୋଜାଖୋଜି ପରେ ବି ତାଙ୍କର ସନ୍ଧାନ ମିଳି ନଥିଲା ।
ତେବେ ପରେ ସେ ଜାଣିବାକୁ ପାଇଲେ ତାଙ୍କ ପୁଅର ମୃତଦେହ ସଦର ହସ୍ପିଟାଲରେ ଅଛି । ସେ ହସ୍ପିଟାଲକୁ ଯାଇ ପୁଅର ମୃତଦେହ ମାଗିବାରୁ ହସ୍ପିଟାଲ କର୍ମଚାରୀ ୫୦ ହଜାର ଟଙ୍କା ଦେଲେ ହିଁ ପୁଅର ମୃତଦେହ ମିଳିପାରିବ ବୋଲି କହିଥିଲେ । ଏନେଇ ଉଭୟ ବାପା ମା ଅନେକ ଚେଷ୍ଟା କରିଥିଲେ ବି ପୁଅର ଶବକୁ ପାଇ ପାରି ନଥିଲେ । ଶେଷରେ ବାଧ୍ୟ ହୋଇ ସେମାନେ ୫୦ ହଜାର ଟଙ୍କା ଯୋଗାଡ଼ ଲାଗି ପର ନିକଟରେ ହାତ ପତାଇବାକୁ ଲାଗିଲେ । ଖୋଦ୍ ହସ୍ପିଟାଲ ଭିତରେ ଓ ବାହାରେ ସେମାନେ ଟଙ୍କା ଲାଗି ଭିକ୍ଷା ମାଗିବାର ଦୃଶ୍ୟ ଭାଇରାଲ ହେବା ସହ ଜାତୀୟ ସ୍ତରରେ ଚର୍ଚ୍ଚାର କାରଣ ହୋଇଛି । ଏନେଇ ମହେଶ କହିଛନ୍ତି, ସେ ଗରିବ ହୋଇଥିବାରୁ ତାଙ୍କ ନିକଟରେ ଏତେ ଟଙ୍କା ନାହିଁ । ବାଧ୍ୟ ହୋଇ ସେମାନେ ପୁଅର ମୃତଦେହ ପାଇବା ଲାଗି ଭିକ ମାଗୁଛନ୍ତି । ଆଶ୍ଚର୍ୟ୍ୟର କଥା ହେଉଛି ଏହି ସରକାରୀ ହସ୍ପିଟାଲର କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଠିକା କର୍ମଚାରୀ ଏବଂ ସେମାନେ ଠିକ୍ ସମୟରେ ଦରମା ପାଆନ୍ତି ନାହିଁ । ଅଧିକାଂଶ ରୋଗୀ ଓ ସମ୍ପର୍କୀୟଙ୍କ ଠାରୁ ସେମାନେ ଅର୍ଥ ଦାବି କରିଥାନ୍ତି । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ଡାକ୍ତର ଏସକେ ଚୌଧୁରୀ ।