ପୁରୀ: ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ଭିତର ଦେଇ ଅତି ପ୍ରତିକ୍ଷିତ ଶରଧାବାଲିରେ ପହଞ୍ଚିଛି ତିନି ଠାକୁରଙ୍କ ତିନି ରଥ । ତେଣୁ ଜନ୍ମସ୍ଥାନରେ ନିଆରା ମାହୋଲ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ । ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚିଥିଲା। ପରେ ମାଆ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିଥିଲା। ଶରଧାବାଲିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିିଥିଲା ୩ ରଥ ।
ସଚନା ଅନୁଯାୟୀ, ତିନି ରଥରେ ଆଜି ସକାଳ ୭ଟା ୩୫ରୁ ୮ ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଶେଷ ପରେ ୯ଟା ୨୦ ରେ ଆରମ୍ଭ ହୋଇଥଲା ରଥଟଣା। ରବିବାର ବଡଦାଣ୍ଡରେ ଅଟକି ରହିଥିବା ୩ ରଥକୁ ଆଜି ପୁଣି ଟାଣିଟାଣି ଆଣିଥିଳେ ଶ୍ରଦ୍ଧାଳୁ। ଲକ୍ଷ ଲକ୍ଷ ଲୋକ ତିନି ରଥକୁ ଟାଣି ନେଇଥିଲେ ବଡଦାଣ୍ଡରେ। ଘଣ୍ଟ ଘଣ୍ଟା ବାଦ ଧ୍ୱନିରେ ପ୍ରକମ୍ପିତ ହୋଇପଡିଥିଲା ପରିବେଶ । ଘୋଷଯାତ୍ରାରେ ଦ୍ୱିତୀୟ ଦିନରେ ବି ଲୋକାରଣ୍ୟ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ଭକ୍ତି ଓ ଭାବରେ ଭିଜୁଛି ଶ୍ରୀକ୍ଷେତ୍ର ।