(ମମତା ସାମଲ) : ପୁଣି ଦକ୍ଷିଣ କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀଙ୍କ ବର୍ବରତା। ଆତଙ୍କବାଦୀମାନେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି। ସେମାନଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି।
ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ଦକ୍ଷିଣ କାଶ୍ମୀରର ସୋଫିଆନ୍ରେ ସ୍ପେଶାଲ୍ ପୁଲିସ ଫୋର୍ସର ଚାରି ଜଣ ପୁଲିସ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସୁରକ୍ଷାକର୍ମୀମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ମୁକୁଳାଇବାରେ ସକ୍ଷମ ହୋଇଥିବା ବେଳେ ଆଉ ତିନିଜଣ ଆତଙ୍କବାଦୀଙ୍କ କବ୍ଜାରେ ରହିଥିଲେ।
ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଳାୟର ଜଣେ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀମାନେ ଆନ୍ଦୋଳନ ଓ ପଥର ଆକ୍ରମଣକାରୀଙ୍କୁ ଉସ୍କାଇବାରେ ବିଫଳ ହେବା ପରେ ହତୋତ୍ସାହିତ ହୋଇ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ୍ କରିଛନ୍ତି। ଗତ ସପ୍ତାହରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା। ପୁଲିସ କର୍ମଚାରୀମାନେ ଇସ୍ତଫା ଦିଅନ୍ତୁ ନଚେତ ମରିବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଉକ୍ତ ଭିଡିଓରେ କୁହାଯାଇଥିଲା।