ଶରଧାବାଲିରେ ଠେଲାପେଲା, ୩ ଭକ୍ତଙ୍କ ମୃତ୍ୟୁ

0

ପୁରୀ: ସକାଳୁ ସକାଳୁ ବଡ ଅଘଟଣ  । ଶରଧାବାଲିରେ ଘଟିଛି ଏହି ଅଘଟଣ  । ଶରଧାବାଲିରେ ଠେଲାପେଲା ଭଳି ସ୍ଥିତି ଉପୁଜିଥିବାରୁ ୩ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି  । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିବା ନେଇ ସୂଚନା ମିଳିଛି  । ଆଜି ଭୋରରୁ ଘଟିଛି ଅଘଟଣ  । ଭୋର ପ୍ରାୟ ୪ଟା ୨୦ରେ ଏହି ଅଘଟଣ ଘଟିଥିବା ନେଇ ଜଣାପଡିଛି  । ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଠେଲାପେଲା ପରି ପରିସ୍ଥିତି ଉପୁଜିଥିଲା  । ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି  । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଭକ୍ତଙ୍କ ଭିଡ଼ ଭିତରେ ଚାରମାଳ କାଠ ବୋଝେଇ ଟ୍ରକ ପଶିଥିବାରୁ ଏପରି ସ୍ଥିତି ଉପୁଜିଥିଲା  ।

ସୂଚନା ଅନୁସାରେ, ଆଜି ଭୋରୁ ମହାପ୍ରଭୁଙ୍କ ପହଡ ଖୋଲିବା ମାତ୍ରେ ହିଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା  । ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ରୁ ଅତି ପ୍ରବଳ ଲୋକେ ସମାଗମ ହୋଇଥିଲେ  । ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଦର୍ଶନ ପାଇଁ ଯିବା ସମୟରେ ଏକ ଚାରମାଳ କାଠ ଭର୍ତ୍ତି ଟ୍ରକ୍ ସେହି ଭିଡ଼ ଭିତରେ ପଶିଥିଲା, ଆଉ ଚାରମାଳ ରଖିଯାଇଥିଲା । ଯାହାକୁ ସ୍ଥିତିକୁ ଅଧିକ ଅସମ୍ଭାଳ କରିଦେଇଥିଲା । ଠେଲାପେଲାରେ କିଛି ଭକ୍ତ ତଳେ ପଡ଼ିଯାଇଥିବା ବେଳେ କିଛି ଭକ୍ତ ସେହି କାଠ ଉପରେ ପଡ଼ିଥିଲେ । ଫଳରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା  । ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି  । ଆହତ ଭକ୍ତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଭିତରୁ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି । ମୃତକମାନେ ହେଲେ ଖୋର୍ଦ୍ଧା ଗୋବର୍ଦ୍ଧନପୁର ଅଞ୍ଚଳର ବାସନ୍ତୀ ସାହୁ , ନୟାପଲ୍ଲୀ ଅଞ୍ଚଳର ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣା ଅଠାନ୍ତର ଅଞ୍ଚଳର ପ୍ରଭାତୀ ଦାସ।