ଭୁବନେଶ୍ୱର– ଆସନ୍ତା ୧୨ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ଏନେଇ ରଥ ନିର୍ମାଣ କାର୍ୟ୍ୟ ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ଆଜିଠାରୁ ରଥରେ ରଥକନା ପଡିବା ନେଇ ଦର୍ଜୀ ସେବକଙ୍କ ପକ୍ଷରୁ କୁହାଯାଇଛି । ଏହାସହ ମହାପ୍ରଭୁଙ୍କ ଶ୍ରୀମୁଖ ହୋତା ଲାଗି ହେବ । ଖଡ଼ିଲାଗି ପରେ ଦତ୍ତମହାପାତ୍ରଙ୍କ ସହ ଦଇତାପତି, ପତି ମହାପାତ୍ର ସେବକ ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରିବେ। ଦଇତାପତି ସେବକମାନେ ରୁପା ପାତ୍ରରେ ଶ୍ରୀଜିଉଙ୍କଠାରେ ଲାଗି ଫୁଲ, ତୁଳସୀ ନେଇ ଶ୍ରୀନଅରକୁ ବିଜେ କରିବେ। ଖଡି ପ୍ରସାଦ ବିଜେ ପରେ ଶୁକ୍ରବାର ବନକଲାଗି ନୀତି ଅନୁଷ୍ଠିତ ହେବ । ଅନ୍ୟପଟେ ୩ ରଥରେ ରଙ୍ଗକାମ ଶେଷ ହୋଇଛି। ସେପଟେ ଦଇତାପତି ସେବକମାନେ ମା ଲକ୍ଷ୍ମୀଙ୍କ ମନ୍ଦିରରେ ତିଆରି ହୋଇଥିବା ନୂଆ ବାସୁଙ୍ଗାପାଟ ମହାପ୍ରଭୁଙ୍କୁ ଲାଗି କରିଛନ୍ତି । ବୁଧବାର ଦଇତାପତି ସେବକଙ୍କ ପକ୍ଷରୁ ଶ୍ରୀମନ୍ଦିରରେ ଘଣା ଲାଗି ନୀତି ଶେଷ ହୋଇଛି। ଅଣସର ଘରେ ଗୁପ୍ତ ଉପଚାର ପରେ ଶ୍ରୀଜିଉ ସୁସ୍ଥ ହେଉଛନ୍ତି ।