ଭୁବନେଶ୍ବର-: ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ହଜାର ୪୪୨ଜଣ ସରକାରୀ କର୍ମଚାରୀ ଓ ଅଧିକ ଆୟ ଥିବା ୮ହଜାର ୧୫୦କୁ ମିଶାଇ ମୋଟ ୨୬ ହଜାର ୫୯୨ଜଣଙ୍କ ରାସନ କାର୍ଡ କଟି ଯାଇଥିବା ସୂଚନା ମିଳିଛି । ତେବେ ରାସନ କାର୍ଡ ଫେରାଇଥିବା ସରକାରୀ କର୍ମଚାରୀ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ରହିଛନ୍ତି ।
ସରକାରୀ କର୍ମଚାରୀ ଓ ଅଧିକ ରୋଜଗାର ଥିବା ରାସନ କାର୍ଡ ପାଇଥିଲେ ତାହାକୁ ନିଜଆଡ଼ୁ ଫେରାଇବା ଲାଗି ଯୋଗାଣ ମନ୍ତ୍ରୀ ଚେତାବନୀ ଦେଇଥିଲେ । ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ଯାଞ୍ଚ ସମୟରେ ଧରାପଡ଼ିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ସରକାରଙ୍କ ଏହି ଧମକ ପରେ ରାଜ୍ୟରେ ରାସନ କାର୍ଡ ଫେରାଇବା ଓ କାଟିବା କାମ ଆରମ୍ଭ ହୋଇଥିଲା । ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଏଚ୍ଏମ୍ଆରଏସ୍ରେ ଥିବା ସରକାରୀ କର୍ମଚାରୀଙ୍କ ତଥ୍ୟ ଜିଲ୍ଲାମାନଙ୍କୁ ଯାଞ୍ଚ କରିବା ପାଇଁ ପଠାଯାଇଥିଲା । ତହିଁରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ହଜାର ୪୪୨ଜଣ ସରକାରୀ କର୍ମଚାରୀ ଓ ଅଧିକ ଆୟ ଥିବା ୮ହଜାର ୧୫୦କୁ ମିଶାଇ ୨୬ହଜାର ୫୯୨ଜଣଙ୍କ ରାସନ କାର୍ଡ କଟି ଯାଇଥିବା ସୂଚନା ମିଳିଛି ।
ମୟୂରଭଞ୍ଜରରେ ସର୍ବାଧିକ ୧୩୬୪ ଜଣ ସରକାରୀ କର୍ମଚାରୀ ରାସନ କାର୍ଡ ଫେରାଇଛନ୍ତି । ଏହା ପଛରେ ବାଲେଶ୍ବର, କଟକ ଓ ଖୋର୍ଦ୍ଧା ଜିଲ୍ଲା ରହିଛି । ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନରେ ରହିଥିବା ନିୟମ ଅନୁଯାୟୀ ଆରସିଏମ୍ଏସ୍ ପୋର୍ଟାଲରେ ୧ଲକ୍ଷ ୭୮ହଜାର ୭୪ଜଣଙ୍କ ରାସନ କାର୍ଡ ଯାଞ୍ଚ କରିବାକୁ କୁହାଯାଇଥିଲା । ଅଧିକ ଆୟ ଥିବା ସତ୍ତ୍ବେ ଯେଉଁମାନେ ରାସନ କାର୍ଡ ହାତେଇଥିଲେ ସେମାନଙ୍କ କାର୍ଡକୁ ମଧ୍ୟ କାଟି ଦିଆଯାଇଛି । କଟକରୁ ସର୍ବାଧିକ ୧୫୩୩ ଜଣଙ୍କ କାର୍ଡ କଟିଥିବା ବେଳେ ନୟାଗଡ଼ ୧୦୦୬, ଅନୁଗୁଳ ୭୦୬ ଓ ଖୋର୍ଦ୍ଧାରୁ ୪୯୦ ଜଣଙ୍କ କାର୍ଡ କଟିଛି ।