ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ ରାଜ୍ୟର ହିଲ୍ କଣ୍ଟ୍ରି ଅଞ୍ଚଳରେ ତାଣ୍ଡବ ରଚିଛି ବର୍ଷା । ମାତ୍ର କିଛି ଘଣ୍ଟା ମଧ୍ୟରେ ଗୋଟେ ମାସକର ବର୍ଷା ହୋଇଛି । ଫଳରେ ଗୁଆଡାଲୁପ୍ ନଦୀରେ ପ୍ରବଳ ବନ୍ୟା ଆସିଛି। ବନ୍ୟା ଯୋଗୁଁ ପ୍ରାୟ ୨୪ ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ମାତ୍ର ୯୦ ମିନିଟରେ ଗୁଆଡାଲୁପ୍ ନଦୀର ଜଳ ୨୦- ଫୁଟ ଯାଏଁ ବୃଦ୍ଧି ପାଇଛି। ହଣ୍ଟରେ ଅବସ୍ଥିତ କ୍ୟାମ୍ପ ମିଷ୍ଟିକ୍ ନାମକ ଏକ ଘରୋଇ ଖ୍ରୀଷ୍ଟିଆନ୍ ଗର୍ଲସ୍ ସମର କ୍ୟାମ୍ପ ଏହି ବନ୍ୟା ଜଳରେ ପ୍ରଭାବିତ ହୋଇଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର କହିଛନ୍ତି ଯେ ଶିବିରର ୨୩ ଜଣ ଝିଅ ଏବେ ବି ନିଖୋଜ ଅଛନ୍ତି। ଲୋକଙ୍କୁ ଜଳବନ୍ଦୀ ଅଞ୍ଚଳରୁ ରକ୍ଷା କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗା ଠାରୁ ଆରମ୍ଭ କରି ହେଲିକପ୍ଟର ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି । ଅନେକ ଜଳବନ୍ଦୀ ଅଞ୍ଚଳରୁ ପ୍ରାୟ ୨୩୭ ଲୋକଙ୍କ ଜୀବନ ରକ୍ଷା କରାଯାଇଛି । ଉଦ୍ଧାରକାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।