ଭୁବନେଶ୍ୱର: ନୂଆପଡାର ଚାଷୀ ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜି ନୂଆପଡା ନୂଆ ପରିଚୟ ନେଇ ଆଗକୁ ବଢୁଛି । ନୂଆପଡାର ଚାଷୀମାନେ ଆଜି ବିଭିନ୍ନ ପ୍ରକାର ଫସଲ କରିବା ସହିତ ଫସଲର ବିବିଧକରଣ, ଜୈବସାର ଓ କୀଟନାଶକ ଉପରେ ଗୁରୁତ୍ବ ଦେଉଛନ୍ତି । ଚାଷୀ ମାନଙ୍କର ରୋଜଗାର ବଢିବା ସହିତ ଲାଭ ମଧ୍ୟ ହେଉଛି।
ନୂଆପଡା ବ୍ଲକ୍ର ସାଲିନା ଗାଁର ମୋହନ ଶବର ନାମକ ଜଣେ ବ୍ୟକ୍ତିଙ୍କର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କର ଦେଢ ଏକର ଜମି ଆଜି ସାଢେ ଚାରି ଏକରରେ ପହଞ୍ଚିଲାଣି । ପରିବା ଚାଷରେ ତାଙ୍କର ରୋଜଗାର ମଧ୍ୟ ଭଲ ହେଉଛି । ସେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା । ତେଣୁ ମୋର ଅନୁରୋଧ, ଆପଣମାନେ ସରକାରଙ୍କ ବିଭିନ୍ନ ୟୋଜନାର ସୁଯୋଗ ନିଅନ୍ତୁ ଓ ନିଜର ଉନ୍ନତି କରନ୍ତୁ ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ, ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଓ ଖରିଆର ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ନୂଆପଡାର ବିକାଶ ଉପରେ ଆଲୋକପାତ କରିଥିଲେ। ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ଆଉ କେଉଁ ଠାରେ ନାହିଁ ବୋଲି ସେମାନେ କହିଥିଲେ । ଏହି ଯୋଜନା ଗରିବ ଲୋକଙ୍କର, ବିଶେଷ କରି ମହିଳା ମାନଙ୍କର ଏକ ବଡ ଚିନ୍ତା ଦୂର କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।