(ମୟୁରଭଞ୍ଜ) : ରାଜ୍ୟରେ ଲଗାତର ଭବେ ହାତୀ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ହାତୀ ଆକ୍ରମଣରେ ୨ ଜଣ ଆଖି ବୁଜିଥିବା ଦେଖିବାକୁ ମିଳିଛି । ମୟୁରଭଞ୍ଜ ସାରସକୋଣା ବ୍ଲକ ଦିଗାରୀଶୋଳ ଗ୍ରାମରେ ହାତୀ ଆକ୍ରମଣ ରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବା ସହ ବହୁ ଘର ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ଘଟଣା ସ୍ଥଳରେ ବନ ବିଭାଗର କର୍ମଚାରୀ ପହଂଚି ତଦନ୍ତ କରୁଛନ୍ତି। ମୃତକମାନେ ହେଲେ ବୃଦ୍ଧା ଫୁଲମଣି ମୁଣ୍ଡା ଓ ବୁଦ୍ଧିଆ ମୁଣ୍ଡା।
ଦୀର୍ଘ ୪ଦିନ ହେଲାଣି ସାରସକୋଣା ବ୍ଲକ ରେ ୫୦ରୁ ଉର୍ଦ୍ଧ୍ବ ହାତୀପଲ ଉତ୍ପାତ ଜାରି ରଖିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ୨ଜଣଙ୍କୁ ଦଳି ମାରିଦେଇଛନ୍ତି। ଘରେ ଶୋଇଥିବା ବେଳ ୫୫ବର୍ଷୀୟ ବୃଦ୍ଧା ଫୁଲମଣି ମୁଣ୍ଡା ଙ୍କ ଉପରେ କାନ୍ଥ ପକାଇ ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।
ସୂଚନାନୁସାରେ, ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜୋକା ପଂଚାୟତର ଦିଗାରୀଶୋଳ ଗ୍ରାମରେ ହାତୀପଲ ପଶି ବ୍ୟାପକ ଭାଙ୍ଗାରୁଜା କରିଛନ୍ତି। ପୁଣି ସେହି ଗ୍ରାମର ୩୮ବର୍ଷୀୟ ବୁଦ୍ଧିଆ ମୁଣ୍ଡା ହାତୀ ହାବୁଡ଼ରେ ପଡିବାରୁ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେବା ରାସ୍ତା ରେ ତାଙ୍କର ମୃତ୍ୟୁ ଘଟିଛି।