ଅଗ୍ନିପଥ ନିଆଁ : ହଜାରେ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ !

ପୁରା ଦେଶରେ ଏବେ ଅଗ୍ନିପଥର ନିଆଁ ହୁହୁ ହୋଇ ଜଳୁଥିବାର କଥା କାହାକୁ ଅଛପା ନୁହେଁ ।

(ଦିଲ୍ଲୀ) : ପୁରା ଦେଶରେ ଏବେ ଅଗ୍ନିପଥର ନିଆଁ ହୁହୁ ହୋଇ ଜଳୁଥିବାର କଥା କାହାକୁ ଅଛପା ନୁହେଁ । ତେବେ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଶୁଭାରମ୍ଭ ହୋଇଥିଲା ଅଗ୍ନିପଥ ଯୋଜନା । ଯାହାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ବିହାର ଏବଂ ୟୁପି ସମେତ ଦେଶର ଅନେକ ସ୍ଥାନରେ ସରକାରୀ ସମ୍ପତ୍ତି ମଧ୍ୟ ନଷ୍ଟ କରାଯାଇଛି । ଯେଉଁଥିରେ ଟ୍ରେନ୍‌ ଗୁଡିକୁ ଟାର୍ଗେଟ୍‌ କରାଯାଇ ଭଙ୍ଗାରୁଜା କରିବା ଏବଂ ନିଆଁ ଲଗାଇଦେବା ଭଳି ସାଂଘାତିକ ଭିଡିଓ ସାମ୍ନାକୁ ଆସିଥିଲା ।

ତେବେ ବିରୋଧ ପ୍ରଦର୍ଶନ ବେଳେ ଅଗ୍ନିପଥ ବିବାଦକୁ ନେଇ ବିହାରରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଯୁବକମାନେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଏହି ତମାମ୍‌ ଘଟଣାକ୍ରମରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ରେଲଓ୍ବେର କେତେ ପରିମାଣର କ୍ଷତି ଘଟିଛି? ଏକ ରିପୋର୍ଟନୁଯାୟୀ, ଆନ୍ଦୋଳନ ସମୟରେ ରେଳ ବିଭାଗର ପ୍ରାୟ ୬୦୦ କୋଟିରୁ ଅଧିକ ଟଙ୍କା ନଷ୍ଟ ହୋଇସାରିଲାଣି । କିନ୍ତୁ ସାର୍ବଜନୀନ ଭାବେ ସମସ୍ତ ଜୋନ୍‌ର ରିପୋର୍ଟ ଆସିବା ପରେ ଏହି ପରିମାଣ ୧୦୦୦ କୋଟି ଟଙ୍କା ପାର୍‌ କରିବ ବୋଲି ଅନୁମାନ କରାଯାଉଛି । ଏହିଭଳି ଭାବେ ଗତ ଶୁକ୍ରବାର ଦେଶର ବିଭିନ୍ନ ସ୍ଥାନରେ ୧୨ରୁ ଅଧିକ କୋଚରେ ନିଆଁ ଲଗାଇ ଦେଇଥିଲେ ଉପଦ୍ରବୀ । ସେଥି ମଧ୍ୟରେ ୭ଟି ଏଲଏଚବି କୋଚ ଥିଲା । କିନ୍ତୁ ରେଳ ବିଭାଗର ରିପୋର୍ଟ ଅନୁଯାୟୀ ମୋଟ ୧୮ଟି କୋଚରେ ନିଆଁ ଲଗାଇ ପୋଡି ଦେଇଥିଲେ ଉପଦ୍ରବୀ । ସିକନ୍ଦରାବାଦରେ ଉତ୍ତ୍ୟକ୍ତ ଯୁବକମାନେ ୪୫୦୦ ବେଡ ରୋଲ ଜଳାଇ ଦେଇଥିଲେ ।