ପାକିସ୍ତାନରେ ପ୍ରକୃତିର କରାଳ ରୂପ, ପ୍ରବଳ ବର୍ଷାରେ ଗଲା ୧୯ ଜୀବନ…

ପାକିସ୍ତାନର କରାଚୀରେ ବୁଧବାର ରାତିରୁ ଆରମ୍ଭ ହୋଇଥିବା ମୁଷଳ ପାତ ଏବଂ ଏକ ଭୟଙ୍କର ଝଡ଼ ସହରରେ ତାଣ୍ଡବ ସୃଷ୍ଟି କରିଛି। ଯେଉଁଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ପବନ ଯୋଗୁଁ ଘରର ଛାତ ଏବଂ କାନ୍ଥ ଭୁଶୁଡ଼ି ପଡ଼ିଥିଲା, ଗଛ ଏବଂ ସାଇନବୋର୍ଡ ପଡ଼ିଯାଇଥିଲା। ପାକିସ୍ତାନ ପାଣିପାଗ ବିଭାଗ ଗୁରୁବାର ଆହୁରି ବର୍ଷା ଏବଂ ପ୍ରବଳ ପବନ ବହିବାର ପୂର୍ବାନୁମାନ କରିଛି। ଏକ ଟେଲିଫୋନ ଏକ୍ସଚେଞ୍ଜର ଛାତ ଏବଂ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଏବେ ବି ଭଗ୍ନାବଶେଷ ହଟାଇବା କାର୍ୟ୍ୟ କରୁଛନ୍ତି ଏବଂ ଭଗ୍ନାବଶେଷ ତଳେ ଆହୁରି ଲୋକ ଫସି ରହିପାରନ୍ତି। କୋରାଙ୍ଗିରେ ଅଧିକ ମୃତାହତ ହୋଇଥିବା ଖବର ମିଳିଛି, ଯେଉଁଠାରେ ଏକ ଘରର ଛାତ ପଡ଼ିବା ପରେ ଜଣେ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା, ଏବଂ ମାଲିରରେ ବଜ୍ରପାତରେ ଦୁଇଜଣ ଲୋକ ଆହତ ହୋଇଥିଲେ। ସେ କହିଛନ୍ତି ଯେ ଲାଣ୍ଡି ଅଞ୍ଚଳର ମାଜିଦ କଲୋନିରୁ ମଧ୍ୟ ମୃତାହତ ହୋଇଥିବା ସୂଚନା ମିଳିଛି। କ୍ଲିଫଟନ୍ ଅଞ୍ଚଳରେ ଏକ ପଡ଼ିଥିବା ଗଛ ତଳୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। କରାଚୀ ମେୟର ମୁର୍ତାଜା ୱାହାବ ଗୁରୁବାର ଲୋକଙ୍କୁ ଘରେ ରହିବା ଏବଂ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦେଇଛନ୍ତି। ଜିଓ ଟିଭି ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗ ଆଗାମୀ ଦୁଇ ଦିନ ପାଇଁ ସିନ୍ଧର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି।