ଚୀନ ପାଇଁ ବଢିଲା ଅଡୁଆ: ଜେନୋମ ରିପୋର୍ଟରେ ଭୂତାଣୁ ଲ୍ୟାବରୁ ସୃଷ୍ଟି ହୋଇଛି

ୱାଶିଂଟନ: ମହାମାରୀ କରୋନା ଭୂୂତାଣୁ ଚୀନର ଲ୍ୟାବରୁ ସୃଷ୍ଟି ହେବା ନେଇ ଚାଲିଥିବା ବିତର୍କରେ ଆଉ ଏକ ମୋହର ଲାଗିଛି । ନୂଆ ଓ ବିରଳ ଜେନୋମରୁ ସ୍ପଷ୍ଟ ହୋଇଛି କି କରୋନା ଭୂୂତାଣୁ ଚୀନର ଲାବୋରେଟୋରୀରୁ ହିଁ ସୃଷ୍ଟି ହୋଇଛି । ଏହାକୁ ନେଇ ଆମେରିକାର ଚୀନକୁ ଆକ୍ରମଣ ଆହୁରି ତୀବ୍ର ହୋଇଛି । ଆମେରିକାର ଦୁଇ ବରିଷ୍ଠ ବିଶେଷଜ୍ଞ ଡା ଷ୍ଟେଫେନ କ୍ୟୁୟା ଓ ରିଚାର୍ଡ ମୁଲ୍ଲେର ଏହି ତଥ୍ୟ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ଚୀନର ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିରୁ ହିଁ କରୋନା ଭାଇରସ ପ୍ରଥମେ ଲିକ୍ ହୋଇଥିଲା। ଏହାପରେ ଏହା ସାରା ବିଶ୍ୱକୁ ବ୍ୟାପିଛି।
ନୂଆ ଜେନୋମ ଅନୁଯାୟୀ କୋଭିଡ ୧୯ ଭାଇରସ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବାର କୌଣସି ପ୍ରମାଣ ମିଳୁନାହିଁ। ଡା ଷ୍ଟେଫେନ ହେଉଛନ୍ତି ଆମେରିକାରେ ଅବସ୍ଥାପିତ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ଆଟୋସା ଥେରାପେଟିକ୍ସର ପ୍ରତିଷ୍ଠାତା। ସେହିପରି ମୁଲ୍ଲେର ହେଉଛନ୍ତି କାର୍ଲିଫର୍ଣ୍ଣିଆର ଜଣେ ଫିଜିକ୍ସ ପ୍ରଫେସର। ସେମାନେ କହିଛନ୍ତି, ବୈଜ୍ଞାନିକ ପଦ୍ଧତିରେ ତର୍ଜମା କରିବା ପରେ ଭାଇରସ ଲ୍ୟାବରୁ ଲିକ୍ ହୋଇଥିବା ସ୍ପଷ୍ଟ ହୋଇଛି। କୋଭିଡ ୧୯ରେ ଜେନୋମ ସିକ୍ୱେନ୍ସିଂ ‘ସିଜିଜି-ସିଜିଜି’ ରହିଛି। ଏହା ୩୬ଟି ସିକ୍ୱେନ୍ସିଂର ଗୋଟିଏ ପ୍ୟାର୍ଟନ।
ସିଜିଜିକୁ କରୋନା ଭୂତାଣୁ କ୍ଲାସ ଭାବେ ବ୍ୟବହାର କରାଯାଏ, ଯାହା କୋଭ-୨ ସହ ରି-କମ୍ବାଇନ ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁରୁ କେବେ ହେଲେ ସିଜିଜି-ସିଜିଜି କମ୍ବିନେସନ ମିଳିନଥାଏ। ସାର୍ସ ଓ ମେର୍ସ ପାଇଁ ଦାୟୀ କରୋନା ଭାଇରସ ସହ ବର୍ତ୍ତମାନର କୋଭିଡ-୧୯ ଭାଇରସରକୁ ତୁଳନା କରାଯାଇଥିଲା।ଏଥିରେ କୋଭ-୨ର ଜେନେଟିକ ଡାଇଭରସିଟିରେ ନାଟକୀୟ ଭିନ୍ନତା ଦେଖିବାକୁ ମିଳିଥିଲା। ଉଭୟ ସାର୍ସ ଓ ମେର୍ସ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିବା ବେଳେ କିନ୍ତୁ କୋଭିଡ-୧୯ କ୍ଷେତ୍ରରେ ପରିବର୍ତ୍ତନ ରହିଛି ଓ ଏହା ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇ ନ ଥିବା ସ୍ପଷ୍ଟ ହୋଇଛି ବୋଲି କୁହାଯାଇଛି ।