ହୀରାକୁଦର ୧୬ଟି ଗେଟ୍ ଖୋଲା, ନାହିଁ ବନ୍ୟା ଭୟ

କଟକ: ବନ୍ଦ ହୋଇଛି ହୀରାକୁଦର ୪ ଟି ଗେଟ୍ । ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦର ୪ ଟି ଗେଟ୍ ବନ୍ଦ କରିଛନ୍ତି କତ୍ତୃପକ୍ଷ । ଏବେ ହୀରାକୁଦର ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା ଅଛି । ୧୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ହୀରାକୁଦ ଡ୍ୟାମର ବାମପଟେ ୧୧ ଗେଟ୍‌ ଏବଂ ଡାହାଣ ପଟେ ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳସ୍ତର ୬୦୬ ଦଶମିକ ୨୩ ଫୁଟ୍ ରହିଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୯ ହଜାର ୧୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିପରି ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୮୩୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ସ୍ପିଲ୍‌ୱେ ପାଇଁ ୨ ଲକ୍ଷ ୩୨ ହଜାର ୮୯୬ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚ୍ୟାନେଲ ପାଇଁ ଛଡ଼ାଯାଉଛି ୩୩ ହଜାର ୭୦୮ କ୍ୟୁସେକ୍ ପାଣି । ହୀରାକୁଦରେ ୬୪ ସ୍ଲୁଇସ୍ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ୍ ରହିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି । ସେପଟେ ବଢିଛି ମହାନଦୀ । ହୀରାକୁଦ ପାଣି ମୁଣ୍ଡଳିରେ ପହଞ୍ଚିବା ପରେ ମହାନଦୀ ଜଳସ୍ତର ବଢିବାରେ ଲାଗିଛି । ତେବେ ସୁବର୍ଣ୍ଣରେଖା ରାଜଘାଟଠାରେ ଆଜି ସନ୍ଧ୍ୟା ସୁଦ୍ଧା ସତର୍କ ସଂକେତରେ ପହଞ୍ଚିବ ଜଳସ୍ତର । ବର୍ଷା ନଥିବା ଯୋଗୁଁ ଜଳସ୍ତର ଆଉ ବଢିବ ନାହିଁ । ଉପରମୁଣ୍ଡରେ ୧୦ ମିଲିମିଟର ବର୍ଷା ହୋଇଛି । ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ବିଶେଷ ଜଳ ନିଷ୍କାସନ ହେଉନି । ବ୍ରାହ୍ମଣୀର ଦୁଇଟି ଗେଟରୁ ଜଳ ନିଷ୍କାସନ ହେଉଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।