ଭୁବନେଶ୍ୱର: ଆଜି ୧୫ ବର୍ଷରେ ପାଦ ଥାପିଛି ଟ୍ୱିନ ସିଟିର କମିଶନରେଟ ପୋଲିସ । ଆଜିକୁ ଠିକ ୧୫ବର୍ଷ ପୂର୍ବେ ଅର୍ଥାତ ୨୦୦୮ ଜାନୁୟାରୀ ୧ ତାରିଖରେ ଟ୍ୱିନ ସିଟିରେ ଲାଗୁ ହୋଇଥିଲା କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଆଇନଶୃଙ୍ଖଳା ବ୍ୟବସ୍ଥା କଡାକଡି କରିବା ଏବଂ ଅପରାଧ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ଆରମ୍ଭ ହୋଇଥିଲା । ତେଣୁ ଏହା ଆଜି ୧୪ ବର୍ଷ ପୂରଣ କରି ୧୫ ବର୍ଷରେ ପାଦ ଦେଇଛି । ତେବେ କରୋନା କଟକଣା ପାଇଁ ନିରାଡମ୍ବର ଭାବେ ଜନ୍ମଦିନ ପାଳନ କରୁଛି କମିଶନରେଟ ପୋଲିସ ।
ପ୍ରଥମେ ୩୬ଟି ଥାନାକୁ ନେଇ ୨୦୦୮ରେ ଆରମ୍ଭ ହୋଇଥିଲା କମିଶନରେଟ୍ ପୋଲିସ୍ । ଏହାପରେ ଯୋଡି ହୋଇଛି ଆଉ ନୂଆ ୧୨ଟି ଥାନା । ଏହି ୧୫ ବର୍ଷ ଭିତରେ ସହାୟତା ଆପ୍, ବରିଷ୍ଠ ନାଗରିକ ସେଲ୍, ବସ୍ତିକୁ ଚାଲ, ବସ୍ତି ମିତ୍ର, ମଧ୍ୟମ ଭଳି ଅନେକ ସେବା ଉପଲବ୍ଧ ହୋଇଛି । ଅପରାଧୀଙ୍କୁ ସାବାଡ୍ କରିବା କରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ କୁଇକ୍ ଆକ୍ସନ୍ ଟିମ୍ ନିୟୋଜିତ କରାଯାଇଛି । ଏବେ ଯୋଡ଼ି ହେବାକୁ ଯାଉଛି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ।