ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅର୍ଥ, ମତ୍ସ ଓ ପଶୁ ସମ୍ପଦ ବିକାଶ ବିଭାଗ, ସାଧାରଣ ପ୍ରଶାସନ ବିଭାଗ, ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ପ୍ରସ୍ତାବଗୁଡିକୁ ମଞ୍ଜୁରୀ ମିଳିଛି ।
୪ ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିରେ ନୂଆପଡା-କଳାହାଣ୍ଡି ୧୭୪ କିମି ବିଜୁ ଏକ୍ସପ୍ରେସ ୱେ ୨ରୁ ୪ ଲେନ୍ ହେବ । ୧୭୪ କିମି ବିଜୁ ଏକ୍ସପ୍ରେସ ୱେ ପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ପଶ୍ଚିମ ଓଡିଶା ବିକାଶରେ ସହାୟକ ହେବ। ବିଜୁ ଏକ୍ସପ୍ରେସ ୱେ ମଧ୍ୟରେ ଛୋଟ ଓ ବଡ ୨୫ଟି ପୋଲ ନିର୍ମାଣ ହେବ । ରାସ୍ତା ନିର୍ମାଣ ପରେ ବ୍ୟାବସାୟିକ ଭିତ୍ତିଭୂମି ସୁଦୃଢ ହେବ । କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । କଟକର ମୁଖ୍ୟ ଡ୍ରେନକୁ ବକ୍ସ କଲଭର୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ପଟ୍ଟାପୋଲରୁ ମାତୃଭବନ ପର୍ୟ୍ୟନ୍ତ ମୁଖ୍ୟ ଡ୍ରେନ୍ ବକ୍ସ କଲଭର୍ଟ ହେବ । ୨୦୨୨ ଡିସେମ୍ବର ସୁଦ୍ଧା କାମ ସରିବ, ଯେଉଁଥିପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ ।