ଉତ୍ତରପ୍ରଦେଶରେ ୧୦ ଟଙ୍କିଆ ‘ଯୋଗୀ ଥାଳି’

( ମମତା ସାମଲ) : ଗତକାଲି ଉତ୍ତରପ୍ରଦେଶର ଆଲ୍ଲହାବାଦ ମେୟର୍‌ ଅଭିଳାଷ ଗୁପ୍ତାଙ୍କ ପକ୍ଷରୁ ୧୦ଟଙ୍କିଆ ମିଲ୍ ଶୁଭାରମ୍ଭ ହୋଇଛି । ଏହାର ନାମ ରଖାଯାଇଛି ‘ଯୋଗୀ ଥାଳି’ । ମେୟର ଏହି ଯୋଜନାକୁ ନିଜର କିଛି ସହଯୋଗୀଙ୍କ ସାହାଯ୍ୟ ନେଇ ବ୍ୟକ୍ତିଗତ ସ୍ତରରେ ଆରମ୍ଭ କରିଛନ୍ତି।

ଯୋଜନାର ଶୁଭାରମ୍ଭ ପରେ ଗୁପ୍ତା କହିଛନ୍ତି, ଏହି ଯୋଜନା ବ୍ୟକ୍ତିଗତ ସ୍ତରରେ ଆରମ୍ଭ ହୋଇଛି । ଯାହକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ନାମକରଣ କରାଯାଇଛି। ଏହି ୧୦ ଟଙ୍କିଆ ଖାଦ୍ୟ ଥାଳି ଯୋଜନା ଆରମ୍ଭ ହେବା ଦ୍ୱାରା ଗରିବ, ସାଧୁସନ୍ଥ, ଅକ୍ଷମ ଏବଂ ଯେଉଁମାନଙ୍କ ପାଇଁ ଖାଦ୍ୟର ନିହାତି ଆବଶ୍ୟକତା ରହିଛି, ସେମାନେ ଉପକୃତ ହେବେ। ଯେଉଁମାନେ ଖାଦ୍ୟ କିଣିବା ପାଇଁ ସକ୍ଷମ ନୁହନ୍ତି, ସେମାନଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ଏହା ଏକ ଉତ୍ତମ ଯୋଜନା।

ଏହି ଯୋଜନାକୁ ଆରମ୍ଭ କରିବା ପାଇଁ ସାହାଯ୍ୟ କରିଥିବା ଦିଲ୍ଲୀପ ଆଲିଆସ୍‌ କାକେଙ୍କ କହିବା ଅନୁଯାୟୀ, କୌଣସି ବ୍ୟକ୍ତି ଯେପରି ଖାଲି ପେଟରେ ରାତିରେ ନ ଶୁଅନ୍ତୁ, ଏହି କଥା ଚିନ୍ତା କରି ଆମେ ଏହି ଯୋଜନାର ଶୁଭାରମ୍ଭ କରିଛୁ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନାମରେ ଏହାକୁ ଆରମ୍ଭ କରିବାର କାରଣ ହେଉଛି, ସେ ରାଜ୍ୟର ଲୋକଙ୍କ ପାଇଁ କାର୍ୟ୍ୟ କରୁଛନ୍ତି ଏବଂ ଲୋକମାନେ ତାଙ୍କ କାର୍ୟ୍ୟକୁ ସମର୍ଥନ ମଧ୍ୟ କରୁଛନ୍ତି। ଆଲ୍ଲାହାବାଦର ଅଟ୍ଟାର୍‌ସୁଇଆ ଅଞ୍ଚଳରେ ଏପରି ଖାଦ୍ୟ ଥାଳି ଯୋଜନା ପୂର୍ବରୁ ଆରମ୍ଭ ହୋଇସାରିଛି।