ବାଲେଶ୍ୱର: ଅନଲାଇନ ଠକାମୀର ଶିକାର ହେଉଥିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାହକଙ୍କୁ ଯେତେ ସଚେତନ କଲେ ମଧ୍ୟ ଅନଲାଇନ ଠକଙ୍କ ନୂଆ ନୂଆ ଚାଲ ଗ୍ରାହକଙ୍କୁ ଲୁଟିବାରେ ସକ୍ଷମ ହେଉଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ସୋରର ବନ୍ଧନ ବ୍ୟାଙ୍କରେ ଜଣେ ଯୁବକଙ୍କ ଫିକ୍ସଡ ଡିପୋଜିଟ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଅନଲାଇନ ଠକ ।
ଔପଦା ବ୍ଲକ ବଡ଼ପୋଖରୀ ଗାଁର ଚକ୍ରଧର ସାହୁ ଗତ ଏପ୍ରିଲ ମାସ ୨୩ ତାରିଖରେ ବନ୍ଧନ ବ୍ୟାଙ୍କ ସୋର ଶାଖାରେ ୧୨ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ ରଖିଥିଲେ । କିନ୍ତୁ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ତାଙ୍କ ନମ୍ବରକୁ ଏକ ଫୋନ କଲ ଆସିଥିଲା । କୋରିୟର୍ର ପରିଚୟ ଦେଇ ତାଙ୍କର ଗୋଟିଏ ପାର୍ସଲ ଆସିଥିବା ନେଇ ତାଙ୍କୁ ଫୋନ ଆସିଥିଲା । ଏଥିସହ ତାଙ୍କୁ ଏକ ଲିଙ୍କ ମଧ୍ୟ ଆସିଲା । ଚକ୍ରଧର ସେହି ଲିଙ୍କକୁ ଟଚ୍ କରିବା ପରେ ତାଙ୍କ ଫିକ୍ସଡ ଡିପୋଜିଟରୁ ଟଙ୍କା ଉଠି ଚାଲିଲା । କିଛି ସମୟ ପରେ ବନ୍ଧନ ବ୍ୟାଙ୍କ ମୁଖ୍ୟ କାର୍ୟ୍ୟାଳୟରୁ ତାଙ୍କ ନିକଟକୁ ଏକ ଫୋନ କଲ ଆସିଲା । ତାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ କରୁଛନ୍ତି କି ନାହିଁ ପଚାରିଥିଲେ ।ଚକ୍ରଧର ମନା କରିବା ପରେ ମୋବାଇଲ ଯାଞ୍ଚ କରି ଦେଖିଲା ବେଳକୁ ତାଙ୍କ ଆକାଉଣ୍ଟରୁ ଦଶ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଯାଇଛି। ତେଣୁ ସେ କଷ୍ଟମର କେୟାରକୁ ଫୋନ କରି ଆକାଉଣ୍ଟ ବନ୍ଦ କରିଦେଲେ । ସେ ବ୍ୟାଙ୍କକୁ ଆସି ଷ୍ଟେଟମେଣ୍ଟ ବାହାର କରିବା ପରେ ବିଭିନ୍ନ ଟ୍ରାଞ୍ଜାକ୍ସନରେ ଏହି ଟଙ୍କା ଉଠାଯାଇଛି ବୋଲି ଜଣାପଡିଥିଲା। ଚକ୍ରଧର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏ ବିଷୟରେ ବ୍ୟାଙ୍କରେ ପହଞ୍ଚି ଟଙ୍କା କେମିତି ଗଲା ବୋଲି ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରି ଥିଲେ । ତେବେ ବ୍ୟାଙ୍କ ମ୍ୟାନେଜର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ।