ହତ୍ୟାକାଣ୍ଡରେ ୧୦ ଗିରଫ

ସମ୍ବଲପୁର: ସମ୍ବଲପୁର ପୋଲିସକୁ ସଫଳତା। ହତ୍ୟାକାଣ୍ଡ ଅଭିଯୋଗରେ ମୋଟ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସମ୍ବଲପୁର ଏସପି ପ୍ରକାଶ କରିଛନ୍ତି।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଭଳି ଦିନରେ ସମ୍ବଲପୁରରେ ଘଟିଯାଇଥିଲା ଏକ ଅଭାବନୀୟ ଘଟଣା। କୌଣସି ଏକ କଥାକୁ ଦେଇ ସମ୍ବଲପୁରର ଦାନପାଲି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ସଂଘର୍ଷରେ ସ୍ଥାନୀୟ ବୋହିଦାର ବନ୍ଧ ଅଞ୍ଚଳର ଯୁବକ ସୌମ୍ୟରଞ୍ଜନ ମୃତ୍ୟୁବରଣ କରିଥିଲେ। ଏ ଘଟଣା ସମ୍ପର୍କରେ ପୋଲିସକୁ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିବା ପୋଲିସ। ପୋଲିସ ତରଫରୁ ଗଠନ ହୋଇଥିବା ୨ଟି ସ୍ପେଶଲ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଶେଷରେ ପୋଲିସ ବଡ଼ ସଫଳତା ହାସଲ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସମ୍ବଲପୁରର ଏସପି ବାତୁଲ ଗଙ୍ଗାଧର ସୂଚନା ଦେଇଛନ୍ତି। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।