୫ ବର୍ଷର ଅବଧିରେ ବମ୍ବେ ସେନସେକ୍ସ ୪୬ ପ୍ରତିଶତ ବୃଦ୍ଧି

(ରିପୋର୍ଟରସ ଟୁଡେ/ମୁମ୍ବାଇ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଜୁନ୍ ୪ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ୧୬ ତମ ଲୋକ ସଭା କାର୍ୟ୍ୟକାଳ ଆରମ୍ଭ ହେବା ପରେ ବୁଧବାର ଶେଷ ହୋଇଛି। ଆସନ୍ତା ଏପ୍ରିଲ/ମେ’ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ୫ ବର୍ଷର ଅବଧିରେ ବମ୍ବେ ସେନସେକ୍ସ ପ୍ରାୟ ୪୬ ପ୍ରତିଶତ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଜୁନ ପହିଲା, ୨୦୦୯ରୁ ଫେବୃୟାରୀ ୨୧, ୨୦୧୪ ଏବଂ ଜୁନ୍ ୨,୨୦୦୪ରୁ ଫେବୃୟାରୀ ୨୬, ୨୦୦୯ ପର୍ୟ୍ୟନ୍ତ ସମୟକୁ ହିସାବକୁ ନେଲେ ଏହି ସମୟରେ ସେନସେକ୍ସ ଯଥାକ୍ରମେ ପ୍ରାୟ ୪୦ ଓ ୮୨ ପ୍ରତିଶତ ବୃଦ୍ଧି ପାଇଥିଲା। ଏହି ସମୟ ମଧ୍ୟରେ ବିଏସ୍ଇ ୫୦୦ରେ ଥିବା ମିଣ୍ଡା ଇଣ୍ଡଷ୍ଟ୍ରିଜ, ବଜାଜ ଫାଇନାନ୍ସ ଓ କେଇ ଇଣ୍ଡଷ୍ଟ୍ରିଜ ଶେୟାର ଜୁନ ୪,୨୦୧୪ରୁ ପ୍ରାୟ ୧ହଜାର ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ଇଣ୍ଡିଆବୁଲ୍ସ ଭେଞ୍ଚର୍ସ, ଏଜିସ୍ ଲଜିଷ୍ଟିକ୍ସ, ଫିଲିପ୍ସ କାର୍ବନ ବ୍ଲାକ , କ୍ୟାପଲିନ ପଏଣ୍ଟ ଲାବରେଟୋରିଜ, ଏଚ୍ଇଜି ଏବଂ ଅବନ୍ତି ଫିଡ୍ସ ଶେୟାର ଏହି ଅବଧିରେ ୭୦୦ରୁ ୯୭୦ ପ୍ରତିଶତ ବୃଦ୍ଧି ପାଇବା ଦେଖାଯାଇଛି। ଅନ୍ୟପକ୍ଷରେ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍କମ୍), ଜୟପ୍ରକାଶ ଇଣ୍ଡଷ୍ଟ୍ରିଜ, ରିଲାଏନ୍ସ ପାଓ୍ବାର, ସୁଜଲନ ଏନର୍ଜି, ଦେନା ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର, ୟୁକୋ ବ୍ୟାଙ୍କ ଏବଂ ସିଣ୍ଡିକେଟ ବ୍ୟାଙ୍କ ଶେୟାର ପ୍ରାୟ ୮୧ରୁ ୯୭ ପ୍ରତିଶତ ପର୍ୟ୍ୟନ୍ତ ହ୍ରାସ ପାଇଥିଲା ବୋଲି ଫେବୃୟାରୀ ୧୨ ପର୍ୟ୍ୟନ୍ତ ପ୍ରାପ୍ତ ତଥ୍ୟକୁ ହିସାବକୁ ନେଇ ଏସ୍ ଇକ୍ୟୁଟି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ତେବେ ଲୋକ ସଭା ନିର୍ବାଚନ ପରିପ୍ରେକ୍ଷୀରେ ନିକଟ ଭବିଷ୍ୟତରେ ସେନସେକ୍ସରେ ଅସ୍ଥିରତା ପରିଲକ୍ଷିତ ହେବ ବୋଲି ଶେୟାର ଖାନ, ଆଡଭାଇଜରୀ ମୁଖ୍ୟ ହେମଙ୍ଗ ଜାନୀ ପ୍ରକାଶ କରିଛନ୍ତି। କୋଟାକ୍ ସିକ୍ୟୁରିଟିଜ ଆନାଲିଷ୍ଟ ଅମିତ ଅଗ୍ରଓ୍ବାଲ ମଧ୍ୟ ସମାନ ମତପ୍ରକାଶ କରିଛନ୍ତି।