ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଭ୍ୟନ୍ତରୀଣ ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ। ଏଥିପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଏବଂ ଯାଜପୁରକୁ ସତର୍କତା ଜାରି ହୋଇଛି। ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪ ତାରିଖ ପର୍ୟ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ। ସେପଟେ ଚଳିତ ବର୍ଷ ମୌସୁମୀ ଅଗ୍ରସର ହେବା ପରେ ବର୍ଷା ସ୍ୱାଭାବିକ ରହିଛି। ୧ ଜୁନରୁ ୧୨ ଜୁନ ମଧ୍ୟରେ ପ୍ରାକ୍ ମୌସୁମୀ ବଦଳରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିଥିଲା। ଏଥିସହ ଜୁନରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇନଥିବା ବେଳେ ବର୍ଷାର ପରିମାଣ କମିଛି। କେବଳ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୧୬ ରୁ ୨୮ ତାରିଖ ମଧ୍ୟରେ ରାଜ୍ୟରେ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଜୁଲାଇ ପହିଲାରୁ ମୌସୁମୀ ସକ୍ରିୟ ହୋଇ ଭଲ ବର୍ଷା ହେବାର ସମ୍ଭାବନା ରହିଛି।