୫୦ଟି ରେଳ ଷ୍ଟେସନ ବିମାନ ବନ୍ଦର ଢାଞ୍ଚାରେ ନିର୍ମାଣ ହେବ

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ବିମାନ ବନ୍ଦର ଢାଞ୍ଚାରେ ନିର୍ମାଣ ହେବ ରେଲୱେ ଷ୍ଟେସନ । ଭାରତୀୟ ରେଲଓ୍ବେ ଚଳିତ ବର୍ଷ ଦେଶର ୫୦ଟି ରେଳ ଷ୍ଟେଶନକୁ ବିମାନ ବନ୍ଦର ଢାଞ୍ଚାରେ ନିର୍ମାଣ ହେବ । ଏଥିପାଇଁ ପ୍ରାୟ ୭୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିକଟରେ ଏ ସମ୍ପର୍କରେ ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଇଣ୍ଡିଆନ ରେଲଓ୍ବେ ଷ୍ଟେଶନ ଡେଭଲପ୍ମେଣ୍ଟ କର୍ପୋରେଶନ(ଆଇଆର୍ଏସ୍ଡିସି) ଉକ୍ତ ଅର୍ଥ ବିନିଯୋଗ କରି ଭବ୍ୟ ଷ୍ଟେଶନ ନିର୍ମାଣ କରିବ। କର୍ପୋରେଶନ ଏମ୍ଡି ଏସ.କେ.ଲୋହିୟା କହିଛନ୍ତି ଯେ, ସାରା ଦେଶରେ ବଡ଼ ରେଳ ଷ୍ଟେଶନରେ ବିମାନ ବନ୍ଦର ଢାଞ୍ଚାରେ ଆଗମନ ଓ ପ୍ରସ୍ଥାନ ବ୍ୟବସ୍ଥା ନିର୍ମାଣ କରାଯିବ। ତେବେ ଭିଡ଼ ହେଉ ନ ଥିବା ଷ୍ଟେଶନରେ ପୂର୍ବଭଳି ବ୍ୟବସ୍ଥା କାଏମ ରହିବ। ବର୍ତ୍ତମାନର ବ୍ୟବସ୍ଥାରେ ଯାତ୍ରୀମାନେ ଟ୍ରେନରେ ଚଢ଼ିବା ଲାଗି ପ୍ଲାଟଫର୍ମରେ ଅପେକ୍ଷା କରିଥାନ୍ତି। ନୂଆ ଢାଞ୍ଚାରେ ସେମାନଙ୍କୁ ଅପେକ୍ଷା କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସ୍ଥାନକୁ ହିସାବକୁ ନେଇ ଆଗମନ ଓ ପ୍ରସ୍ଥାନକୁ ନିୟନ୍ତ୍ରିତ କରାଯିବ। ପ୍ରାଥମିକ ପର୍ୟ୍ୟାୟରେ ଏବେ ୫୦ ରେଳ ଷ୍ଟେଶନର ନବୀକରଣ କାର୍ୟ୍ୟକୁ ହାତକୁ ନିଆଯିବ ବୋଲି ସେ କହିଛନ୍ତି।