ହାତ ଛାଡି ଦେଲେ ବଡ ଭାଇ ମୁକେଶ ଅମ୍ବାନୀ

(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ହାତ ଛାଡିଦେଲେ ବଡ ଭାଇ । ବଡ଼ ଭାଇ ମୁକେଶ ଅମ୍ବାନୀ ଦେଶ ତଥା ଏସିଆର ସର୍ବବୃହତ ଧନୀ ବ୍ୟକ୍ତି ହୋଇଥିଲେ ହେଁ ତାଙ୍କ ସାନ ଭାଇ ଅନିଲ ଅମ୍ବାନୀ ଏବେ ଦେବାଳିଆ ଅବସ୍ଥାରେ ପହଞ୍ଚି ଯାଇଛନ୍ତି। ଋଣ ପରିଶୋଧକୁ ନେଇ ତାଙ୍କର ମୁଣ୍ଡବ୍ୟଥା ଦିନକୁ ଦିନ ବଢ଼ିବାରେ ଲାଗିଛି। ୫୫୦ କୋଟି ଟଙ୍କାର ବକେୟା ଋଣ ପରିଶୋଧ ମାମଲାରେ ଏରିକସନର ଆବେଦନ ଉପରେ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ହୋଇଥିଲା। ଏଥିରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍କମ୍) ମାଲିକ ଅନିଲ ଅମ୍ବାନୀ। ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓକୁ ତାଙ୍କ କମ୍ପାନୀ ଆର୍କମ୍କୁ ବିକ୍ରି କରିବା ଯୋଜନା ସଫଳ ହୋଇ ପାରି ନଥିଲା ବୋଲି ଅନିଲ ବୁଧବାର ଅଦାଲତକୁ ଜଣାଇଥିଲେ। ଋଣ ପରିଶୋଧରେ ତାଙ୍କର ବଡ଼ ଭାଇ ସହାୟତା ନ କରିବାରୁ ତାଙ୍କର ଶେଷ ଆଶା ମଉଳିଯାଇଥିଲା ବୋଲି ଅନିଲ କହିଛନ୍ତି। ସୂଚନାଥାଉ କି, ପିତା ଧିରୁଭାଇ ଅମ୍ବାନୀଙ୍କ ୮୫ତମ ଜନ୍ମଦିନ ଅବସରରେ ଆର୍କମ୍ର ସମସ୍ତ ସମ୍ପତ୍ତିକୁ ସେ ରିଲାଏନ୍ସ ଜିଓକୁ ବିକ୍ରି କରିଦେବେ ବୋଲି ଅନିଲ ଘୋଷଣା କରିଥିଲେ। ଏହି ବିକ୍ରିରୁ ପ୍ରାୟ ୨୫ ହଜାର କୋଟି ଟଙ୍କା ମିଳିବ ବୋଲି ସେ ଆଶାକରିଥିଲେ। ଏହି ଟଙ୍କାରେ ସେ ଅର୍ଦ୍ଧାଧିକ ଋଣ ପରିଶୋଧ କରିଦେବେ ବୋଲି ଅନିଲ ଭାବିଥିଲେ। ଏବେ ତାଙ୍କ କମ୍ପାନୀ ଉପରେ ପ୍ରାୟ ୪୭ହଜାର କୋଟି ଟଙ୍କାର ଋଣ ଭାର ରହିଛି। ଚଳିତ ମାସ ପହିଲାରେ ସେ ଆର୍କମ୍କୁ ଦେବାଳିଆ ଘୋଷଣା କରିବାକୁ ଏନ୍ସିଏଲ୍ଟିରେ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଅନିଲ ପ୍ରାୟ ଅଢ଼େଇ ଘଣ୍ଟା ଅଦାଲତରେ ଉପସ୍ଥିତ ଥିଲେ।