(ରିପୋର୍ଟରସ ଟୁଡେ/ଭୁବନେଶ୍ୱର): ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ସୋମବାର ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ରେଲଓ୍ବେ ତଥା ରାଜ୍ୟର ଅନ୍ୟାନ୍ୟ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି। ସେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ତାଳଚେର ଷ୍ଟେଶନରେ ବିଭିନ୍ନ ଯାତ୍ରୀ ସୁବିଧାର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହ ଟ୍ରେନର ସମ୍ପ୍ରସାରଣ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଅତିରିକ୍ତ ଟ୍ରେନ ରହଣି ସମ୍ପର୍କରେ ସିହ୍ନା ଘୋଷଣା କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଷ୍ଟେଶନରେ ନୂଆ ଏକ୍ସାଲେଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ବ୍ରହ୍ମପୁର ଷ୍ଟେଶନରେ ନୂଆ ଏକ୍ସାଲେଟର ଏବଂ ଫୁଟ୍ ଓଭରବ୍ରିଜ ସୁବିଧାକୁ ସେ ଲୋକାର୍ପଣ କରିଛନ୍ତି। ଏହାବାଦ ତାଳଚେର ରେଳଷ୍ଟେଶନ ପରିସରରେ ବିଭିନ୍ନ ଯାତ୍ରୀ ସୁବିଧା ଆରମ୍ଭ ହୋଇଛି। ହଜରତ ନିଜାମୁଦ୍ଦିନ-ରାଇଗଡ ଗଣ୍ଡଓ୍ବାନା ଏକ୍ସପ୍ରେସକୁ ସମ୍ବଲପୁର ଯାଏ ଚଳାଚଳ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହା ଭାୟା ଝାରସୁଗୁଡା ଦେଇ ସମ୍ବଲପୁର ଯାଏ ଚଳାଚଳ କରିବ। ସମ୍ବଲପୁର-ହାଓ୍ବଡା ଏକ୍ସପ୍ରେସ ଭାୟା ସମ୍ବଲପୁର ଏବଂ ଭଦ୍ରକ ସାପ୍ତାହିକ ଗୋଟିଏ ଦିନ ପରିବର୍ତ୍ତେ ୩ ଦିନ ଚାଲିବ ବୋଲି ଘୋଷଣା କରାଯାଇଛି।