ରାୟଗଡାରେ ନିର୍ମାଣ ହେବ ଏଲପିଜି ବଟଲିଂ ପ୍ଲାଣ୍ଟ

(ତ୍ରିଲୋଚନ/ରିପୋର୍ଟରସ ଟୁଡେ)ଭୁବନେଶ୍ୱର: ଆଜି ଭୁବନେଶ୍ୱରଠାରେ ଏଚପିସିଏଲ ଏବଂ ଇଷ୍ଟକୋଷ୍ଟ ରେଲ୍ୱେ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ରାଷ୍ଟ୍ରାୟତ ତେଲ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚପିସିଏଲ୍) ଓଡ଼ିଶାର ରାୟଗଡ଼ା ଜିଲାସ୍ଥିତ ଆଇଆଇଡି ସେଣ୍ଟରଠାରେ ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି । ଆସନ୍ତା ୧୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡ଼ାଠାରେ ଏହି ବଟ୍ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାୟଗଡ଼ାଠାରେ ଏଚପିସିଏଲ ଏହି ନୂତନ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଥିବା ଓଡ଼ିଶାରେ ଏଚପିସିଏଲ ଦ୍ୱିତୀୟ ବଟଲିଂ ପ୍ଲାଣ୍ଟ ଅଟେ । ଅନ୍ୟାନ୍ୟ ତୈଳ ବିପଣନ କମ୍ପାନୀଗୁଡ଼ିକର ଏଲପିଜି ବଟଲିଂ ପ୍ଲାଣ୍ଟ ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀଠାରେ ରହିଅଛି । ଏହି ୪ଟି ବଟଲିଂ ପ୍ଲାଣ୍ଟଗୁଡ଼ିକର ବାର୍ଷିକ କ୍ଷମତା ୨.୮୦ କୋଟି ସିଲିଣ୍ଡର ରହିଛି । ରାୟଗଡ଼ାଠାରେ ଏହି ପ୍ରସ୍ତାବିତ ଏଲପିଜି ବଟଲିଂ ପ୍ଲାଣ୍ଟ ସହିତ ତୈଳ ବିପଣନ କମ୍ପାନୀଗୁଡ଼ିକ ଭୁବନେଶ୍ୱର ଏବଂ ବଲାଙ୍ଗୀରଠାରେ ନୂତନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି । ଏହି ନୂତନ ବଟଲିଂ ପ୍ଲାଣ୍ଟ ନିର୍ମାଣ ହେବା ପରେ ଓଡ଼ିଶାରେ ସର୍ବମୋଟ ୭ଟି ପ୍ଲାଣ୍ଟ କାର୍ୟ୍ୟକ୍ଷମ ହେବ । ଏହି ୭ଟି ବଟଲିଂ ପ୍ଲାଣ୍ଟର କ୍ଷମତା ବାର୍ଷିକ ୪.୦୬ କୋଟି ସିଲିଣ୍ଡର ରହିବ ।