(ରିପୋର୍ଟରସ ଟୁଡେ/ବାଙ୍ଗାଲୁରୁ): ଦେଶରେ ରାଫେଲ ଝଡ ଚାଲିଥିବା ବିବାଦ ମଧ୍ୟରେ ଆଜି ବାଙ୍ଗାଲୁରରେ ପହଞ୍ଚିଛି ୩ଟି ରାଫେଲ ବିମାନ । ଏହି ବିମାନ କିଣାରେ ଅନିୟମିତତା ହୋଇଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛି । କିନ୍ତୁ ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ସିଏଜି ସମସ୍ତେ ସରକାରଙ୍କୁ କ୍ଲିନଚିଟ ଦେଇଛନ୍ତି । ଆସନ୍ତା ଫେବୃଆରୀ ୨୦-୨୪ ତାରିଖରେ ବାଙ୍ଗାଲୁରୁର ହେଲେହେଙ୍ଗା ବାୟୁସେନା ଘାଟିଠାରେ ହେବାକୁ ଥିବା ବାଙ୍ଗାଲୁରୁ ଏୟାର ଶୋ’ରେ ଏସବୁ ରାଫେଲ ବିମାନଗୁଡିକର ଉଡାଣ କରାଯିବ । ଏଥିପାଇଁ ରାଫେଲ ନିର୍ମାଣକାରୀ କମ୍ପାନି ହାସାଲ୍ଟ ଆଭିଏସନ ପକ୍ଷରୁ ଏହି ୩ଟି ବିମାନ ଭାରତକୁ ଆସିଛି । ଏହା ମଧ୍ୟରୁ ୨ଟି ରାଫେଲ ବିମାନ ନିଜର କଳାକୌଶଳ ଓ କ୍ଷମତାର ପ୍ରଦର୍ଶନ କରିବେ । ୩ୟ ରାଫେଲଟି ଗ୍ରାଉଣ୍ଡରେ ରହି ପ୍ରଦର୍ଶିତ ହେବ ।