(ତ୍ରିଲୋଚନ ରାଉତ/ରିପୋର୍ଟରସ ଟୁଡେ)ଭୁବନେଶ୍ୱର: ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ର ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଠିକ୍ ସମୟରେ ଜମି ଅଧିଗ୍ରହଣ ହୋଇପାରୁ ନାହିଁ। ଫଳରେ ରେଳ ପ୍ରକଳ୍ପଗୁଡ଼ିକର କାର୍ୟ୍ୟ ଆଗେଇ ପାରୁନାହିଁ ବୋଲି କେନ୍ଦ୍ର ରେଳ ତଥା ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ସୋମବାର ଅଭିଯୋଗ କରିଛନ୍ତି।
ସ୍ଥାନୀୟ ରେଳ ଅଡିଟୋରିୟମଠାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କାର୍ୟ୍ୟକ୍ରମରେ ଯୋଗ ଦେଇ ସିହ୍ନା କହିଛନ୍ତି, ଏଠାକାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି ପୂର୍ବରୁ ବାର୍ଷିକ ପ୍ରାୟ ୯୦୦ କୋଟି ଟଙ୍କା ମିଳୁଥିଲା। ମାତ୍ର ଗତ ପାଞ୍ଚ ବର୍ଷ ହେବ ବାର୍ଷିକ ହାରାହାରି ୫,୫୦୦ କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରାଯାଉଛି। ଏହି ସମୟ ମଧ୍ୟରେ ରାଜ୍ୟର ରେଳ ପ୍ରକଳ୍ପ ବାବଦକୁ କେନ୍ଦ୍ର ସରକାର ମୋଟ ୨୭,୦୦୦ କୋଟି ଟଙ୍କା ପ୍ରଦାନ କରିଥିବା ସେ ସ୍ପଷ୍ଟ କରିଛନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଲାଗି ଆବଶ୍ୟକ ହେଉଥିବା ଜମି ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟ ସରକାର ଯୋଗାଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଏହି ପ୍ରକଳ୍ପ ବାବଦକୁ ନୟାଗଡରେ ଅତିରିକ୍ତ ୩୨୭.୯୩ ଏକର, ବୌଦ୍ଧରେ ୨,୦୫୯.୪୩ ଏକର, ସୋନପୁରରେ ୫୨୮.୩୧ ଏକର ଏବଂ ବଲାଙ୍ଗୀରରେ ୩୮.୯୬ ଏକର ଜମିର ଆବଶ୍ୟକତା ରହିଛି। ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଏହା ପ୍ରଦାନ କରି ନ ଥିବା ସିହ୍ନା କହିଛନ୍ତି। ୨୮୯ କିମି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ମଧ୍ୟରୁ ଖୋର୍ଦ୍ଧାରୋଡ୍ଠାରୁ ନୟାଗଡ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୬୬ କିମି ଏବଂ ବଲାଙ୍ଗୀରଠାରୁ ବିଛୁପାଲି ମଧ୍ୟରେ ୧୫ କିମି ରେଳ ପ୍ରକଳ୍ପ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।