(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ୫୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୬ନମ୍ବର କୋରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲା ଜାଫରପୁର ପଞ୍ଚାୟତର ସାନିତ୍ରିଲୋଚନପୁର ଗ୍ରାମର ୬୯ବର୍ଷିୟ ବ୍ୟକ୍ତି । ସେ ଗତ ୧୮ ତାରିଖରେ କୋଲକାତାରୁ ଘରକୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିଲେ । ପରେ ତାଙ୍କର ଆଜି ପଜେଟିଭ ରିପୋର୍ଟ ଆସିଥିବା ସୂଚନା ମିଳିଛି । ତେବେ ଏହି ବ୍ୟକ୍ତି ଜଣଙ୍କ କାହା ସସ୍ପର୍ଶରେ ଆସିଥିଲେ ଏ ନେଇ ପ୍ରଶାସନ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଛି । ଏହାକୁ ମିଶାଇ ଯାଜପୁରରେ ୨ଟି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ।
ଅନ୍ୟପଟେ କୋରୋନା ଆକ୍ରାନ୍ତ ୫୬ରେ ପହଞ୍ଚିଥିବା ବେଳେ ୧୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ୩୭ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଏବେବି ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଧା ରାଜ୍ୟରେ ୪୭୩୪ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ସେଥିରୁ ୪୬୭୬ଟି ରିପୋର୍ଟ ନେଗେଟିଭ ଆସିଛି ।