ରାଜସ୍ୱ ଆଦାୟ 

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ୨୦୧୮-୧୯ରେ କେନ୍ଦ୍ର ସରକାରଙ୍କ ରାଜସ୍ବ ସଂଗ୍ରହ ପରିମାଣ ପ୍ରାୟ ୬୦ ହଜାର କୋଟି ଟଙ୍କା କମିବ ବୋଲି ଆକଳନ କରାଯାଇଛି। ଶୁକ୍ରବାର ସୁଦ୍ଧା ପ୍ରତ୍ୟକ୍ଷ ଟିକସ ବାବଦରେ ୧୧.୩୮ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି। ସରକାର ବଜେଟରେ ଏ ବାବଦରେ ୧୨ ଲକ୍ଷ କୋଟି ଟଙ୍କା ଆଦାୟ କରିବେ ବୋଲି ଲକ୍ଷ୍ୟ ଧାର୍ୟ୍ୟ କରିଥିଲେ। ସେଣ୍ଟ୍ରାଲ ଜିଏସ୍‌ଟି(ସିଜିଏସ୍‌ଟି) ଆଦାୟ କମିଥିବା ବେଳେ ସରକାର ବ୍ୟୟ ହ୍ରାସ କଲେ ନିଅଣ୍ଟ ପରିମାଣକୁ ଅନେକାଂଶରେ କମାଯାଇପାରିବ ବୋଲି ଜଣେ ବରିଷ୍ଠ ଟିକସ ଅଧିକାରୀ କହିଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି)ର ଜଣେ ଅଧିକାରୀ କହିଛନ୍ତି ଯେ, ଗତ ଆର୍ଥିକ ବର୍ଷରେ ଟିକସ ଆଦାୟ ପରିମାଣ ଆଉ ବଢ଼ିବା ଭଳି ଲାଗୁ ନାହିଁ। କାରଣ ଆଉ କେଇଟା ଦିନରେ ସ୍ବଳ୍ପ ମାତ୍ରାରେ ଟିକସ ଦାଖଲ ହେବାର ସମ୍ଭାବନା ରହିଛି। ତେଣୁ ରାଜସ୍ବ ସଂଗ୍ରହର ଧାର୍ୟ୍ୟ ଲକ୍ଷ୍ୟ ପୂରଣ କରିବା ସମ୍ଭବ ହେବ ନାହିଁ। ତେବେ ଟିକସ ସଂଗ୍ରହ ପୂର୍ବ ବର୍ଷ ତୁଳନାରେ ୧୩.୫% ବୃଦ୍ଧି ପାଇବା ସରକାରଙ୍କୁ ଉତ୍ସାହିତ କରିଛି। କ୍ରମାଗତ ତୃତୀୟ ବର୍ଷ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇବା ଖୁସୀର ବିଷୟ ବୋଲି ସରକାର ମନେ କରୁଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସିବିଡିଟି ଗତ ୩ ଦିନ ଭିତରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ କରିଥିବା ବେଳେ ସେଣ୍ଟ୍ରାଲ ଟିଡିଏସ୍‌ ବାବଦରେ ଆହୁରି ୨୦ ହଜାର କୋଟି ଟଙ୍କା ଆଦାୟ ହେବ ବୋଲି ଆକଳନ କରାଯାଇଛି। ତେବେ ସେଣ୍ଟ୍ରାଲ ଜିଏସ୍‌ଟି ସଂଗ୍ରହ ୩୫ହଜାରରୁ ୪୦ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି, ଯାହାକି ଧାର୍ୟ୍ୟ ଲକ୍ଷ୍ୟ ଠାରୁ ବହୁ ଦୂରରେ।