ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଥିବା ଆଜି କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମେ ୧ ତାରିଖରୁ ୪ର୍ଥ ପର୍ଯ୍ୟାୟରେ ୧୮ ବର୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ଭ୍ୟାକ୍ସିନ ଦେବାକୁ ନିଷ୍ପତ୍ତି ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୋଦି କହିଛନ୍ତି, ଦେଶବ୍ୟାପୀ ଗତ ଏକ ବର୍ଷ ଧରି ସରକାର ମହାମାରୀ କରୋନା ଭୂତାଣୁ ଉପରେ କାବୁ ପାଇବାକୁ ସମସ୍ତ ଚେଷ୍ଟା ସହ ଭ୍ୟାକ୍ସିନେସନ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।
ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୁଲିସ, ସଫେଇ କର୍ମଚାରୀଙ୍କପରି ଆଗଧାଡିର କରୋନା ଯୋଦ୍ଧାଙ୍କ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକ ତଥା ୪୫ ବର୍ଷରୁ ଊଦ୍ଧ୍ୱର୍ ନାନାଦି ରୋଗରେ ପୀଡିତଙ୍କୁ ଭ୍ୟାକ୍ସିନ ଦିଆଯାଇଥିଲା । ତୃତୀୟ ପର୍ଯ୍ୟାୟରେ ୪୫ ବର୍ଷରୁ ଊଦ୍ଧ୍ୱର୍ଙ୍କ ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଆସନ୍ତା ମେ ୧ରୁ ୧୮ରୁ ଊଦ୍ଧ୍ୱର୍ଙ୍କ ଟୀକାକରଣକୁ ବ୍ୟାପକ କରିବାକୁ ଯାଉଛନ୍ତି ସରକାର ।