ମୁକୁଳା ଡ୍ରେନ ଭିତରେ ପଡିଛି ମୃତଦେହ

The body is lying in the Mukula drain

ପୁରୀ : (ଗୋପରୁ ଜୟନ୍ତକୁମାର ସେଠୀ ) ରେଡକ୍ରସ ରୋଡ ପୋଲିସ ହାଇସ୍କୁଲ ପାଖ ଡ୍ରେନରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମିଛି । ମୃତ ବ୍ୟକ୍ତି ଜଣକ ମୁହଁ ମାଡି ଡ୍ରେନ ଭିତରେ ପଡିଥିବା ବେଳେ ତାଙ୍କୁ କେହି ହତ୍ୟା କରି ଡ୍ରେନ୍ ଭିତରେ ଫିଙ୍ଗି ଦେଇଥିବା କିମ୍ବା ଅନ୍ୟ କିଛି କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ମୁକୁଳା ଡ୍ରେନ ଭିତରେ ପଡି ମୃତ୍ୟୁବରଣ କରିଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ପୁରୀ ସହରରେ ଅନେକ ସ୍ଥାନରେ ମୁକୁଳା ଡ୍ରେନ ଥିଲେ ହେଁ ଏହା ଉପରେ ମ୍ୟୁନିସିପାଲଟି ପକ୍ଷରୁ ସ୍ଲାବ୍ ପକା ଯାଉନାହିଁ । ଫଳରେ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟିବା ସହ ଅନେକ ନିରୀହ ଜୀବନ ମଧ୍ୟ ଚାଲିଯାଉଛି । ସବୁଠାରୁ ବଡ଼କଥା ହେଲା ପୋଲିସ ହାଇସ୍କୁଲ ପାଖରେ ଡ୍ରେନ ମୁକୁଳା ରହିଥିବାବେଳେ ପ୍ରତିଦିନ ଏହି ବାଟ ଦେଇ ଶହ ଶହ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଲୋକେ ଯାତାୟତ କରିଥାନ୍ତି । ତେଣୁ ଏହି ଡ୍ରେନ ଉପରେ ମ୍ୟୁନିସିପାଲଟି ତୁରନ୍ତ ସ୍ଲାବ ପକାଇବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।