(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ବ୍ରହ୍ମପୁର ମହାନଗର ନିଗମ ଓ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ମିଳିତ ଆନୁକୁଲ୍ୟରେ କୁକୁର ବନ୍ଧ୍ୟାକରଣ ଯୋଜନା କାର୍ୟ୍ୟକ୍ରମ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଦେବରାଜ ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ରବି ନାରାୟଣ ପଣ୍ଡା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅରବିନ୍ଦ ବେହେରା, ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର କିରଣ କୁମାର ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୧୧ଟି କୁକୁରର ବନ୍ଧ୍ୟାକରଣ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ଓ ପ୍ରାଣୀ ଚିକିତ୍ସା ବିଭଗର ସହଭାଗିତାରେ ପରିଚାଳନା କରାଯାଇଛି। ଏହି କାର୍ୟ୍ୟକ୍ରମ ଅଧିନରେ ବ୍ରହ୍ମପୁର ମହାନଗର ନିଗମରେ ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରାଯିବାର ଯୋଜନା ରହିଅଛି। ଏହି କାର୍ୟ୍ୟକ୍ରମ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକିବାରେ ସହାୟକ ହେବା ସହିତ ଯାହାରି ଫଳରେ ଦୁର୍ଘଟଣା ଘଟି ଯେଉଁ ଧନ ଜୀବନ ନଷ୍ଟ ହେଉଥିଲା ତାହାକୁ ମଧ୍ୟ ରଖାଯାଇ ପାରିବ। ଏହି କାର୍ୟ୍ୟକ୍ରମ ଜଳାନ୍ତକ ଭଳି ମାରାତ୍ମକ ରୋଗର ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଦେବରାଜ ବେହେରା କହିଛନ୍ତି ।