ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି

(ମମତା ସାମଲ)ରିପୋର୍ଟସଟୁଡେ: ଚଳିତବର୍ଷ ପାଇଁ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ମାର୍ଟିନ ଲିସିସଙ୍କୁ ଚୟନ କରାଯାଇଛି । ୩୫୦ କିଲୋ ଓଜନର ଜିନିଷଠାରୁ ଆରମ୍ଭ କରି ବୋଇଂ ବିମାନକୁ ମଧ୍ୟ ଅନାୟସରେ ସେ ଉଠାଇ ଦେଇଥାନ୍ତି । ଆମେରିକାରେ ପ୍ରତିବର୍ଷ ଶକ୍ତିଶାଳୀ ବ୍ୟକ୍ତି ପ୍ରତିଯୋଗିତା ଆୟୋଜନ କରାଯାଇଥାଏ । କିଛି ବର୍ଷ ଧରି ସେ ଏହି ପ୍ରତିଯୋଗିତାରେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନ ଅଧିକାର କରି ଆସୁଥିଲେ । ମାତ୍ର ଚଳିତବର୍ଷ ଶ୍ରେଷ୍ଠ ତଥା ସବୁଠୁ ଶକ୍ତିଶାଳୀ ଭାବେ ମାର୍ଟିନଙ୍କୁ ଚୟନ କରାଯାଇଛି । ଏଥିପାଇଁ ତାଙ୍କୁ ଖୁବ ପ୍ରାକ୍ଟିସ କରିବାକୁ ପଡୁଥିଲା ବୋଲି ସେ ଏକ ସାକ୍ଷାତକାରରେ କହିଛନ୍ତି ।
ମାର୍ଟିନ୍‌ କାଲିଫର୍ଣ୍ଣିଆରେ ନିଜର ଏକ ଜିମ୍‌ ସେଣ୍ଟର ମଧ୍ୟ ଚଳାଉଛନ୍ତି। ଏଠାରେ ପାରମ୍ପରିକ ଉପାୟରେ କୁସ୍ତି କରାଯାଏ। ସେ କୁହନ୍ତି, ଶକ୍ତି ପ୍ରଦର୍ଶନ କରିବାକୁ ହେଲେ ଏହି ଉପାୟ ଠିକ୍‌। ଲୋକେ ଫିଟ୍‌ନେସ ରହିବା ପାଇଁ ଜିମ୍‌ ଯାଇଥାନ୍ତି। ମାତ୍ର ଶକ୍ତିଶାଳୀ ହେବାକୁ ଚାହୁଁଥିଲେ ମାର୍ଟିନ୍‌ଙ୍କ ଜିମ୍‌ ଯିବା ଜରୁରୀ। ମାର୍ଟିନଙ୍କ ମୂଳବାସିନ୍ଦା ଲାତାବିୟନ। ତାଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ତାଙ୍କ ମାତାପିତା ଆମେରିକା ଚାଲି ଆସିଥିଲେ। ମାର୍ଟିନ୍‌ କୁହନ୍ତି, ଯଦି ଶକ୍ତିଶାଳୀ ହେବାକୁ ଇଚ୍ଛା ତେବେ ସବୁଠୁ ଓଜନିଆ ଜିନିଷ ଉଠାନ୍ତୁ। ସେ ପଥର ହେଉ କିମ୍ବା ଗଛ। ଏମିତି ଅଭ୍ୟାସ ଜାରି ରଖିଲେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ହେବ।