ବିଶ୍ୱରେ ମାନ୍ଦାବସ୍ଥାର ଚେତାବନୀ ଦେଲେ ନୋବେଲ ବିଜୟୀ ଅର୍ଥନୀତିଜ୍ଞ କ୍ରୁଗମ୍ୟାନ

(ରିପୋର୍ଟରସ ଟୁଡେ/ଦୁବାଇ): ବିଶ୍ୱରେ ମାନ୍ଦାବସ୍ଥାର ଚେତାବନୀ ଦେଲେ ନୋବେଲ ପୁରସ୍କାର ବିଜୟୀ ଅର୍ଥନୀତିଜ୍ଞ ପଲ୍ କ୍ରୁଗ୍ମ୍ୟାନ । ଆର୍ଥିକ ନୀତି ପ୍ରଣୟନକାରୀଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ୨୦୧୯ ଶେଷ ଅଥବା ଆସନ୍ତା ବର୍ଷ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। କ୍ରୁଗମ୍ୟାନ ଓ୍ବଲର୍ଡ ଗଭମେଣ୍ଟ ଶିଖର ସମ୍ମିଳନୀରେ କହିଛନ୍ତି ଯେ, କୌଣସି ଏକ ବଡ଼ ସମସ୍ୟାରୁ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବ। ଅର୍ଥନୀତି କ୍ଷେତ୍ରରେ ଅନିଶ୍ଚିତତା ଏବଂ ସମସ୍ୟା ଯୋଗୁ ମାନ୍ଦାବସ୍ଥା ଆସିବାର ସମ୍ଭାବନା ବଢ଼ିଯିବ। ଅର୍ଥନୈତିକ କ୍ଷେତ୍ରରେ ଦେଖାଦେଉଥିବା ଅସ୍ଥିରତାର ମୁକାବିଲା ଲାଗି ବିଭିନ୍ନ ଦେଶର ରିଜର୍ଭ ବ୍ୟାଙ୍କ ଯଥେଷ୍ଟ ପ୍ରସ୍ତୁତ ନଥାନ୍ତି। ବାଣିଜ୍ୟ ଯୁଦ୍ଧ ଏବଂ ସଂରକ୍ଷଣବାଦ ବଦଳରେ ନୀତିଗତ ଏଜେଣ୍ଡା ସାମ୍ନାକୁ ଆସୁଛି, ଯାହାକି ଏହି ସମ୍ଭାବ୍ୟ ବିପଦରୁ ଧ୍ୟାନ ହଟାଇ ଦେଉଛି। ସୂଚନାଥାଉ କି, ଦୁଇ ଦିନ ପୂର୍ବେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟ କ୍ରିଷ୍ଟିନ ଲାଗାର୍ଡ ମଧ୍ୟ ଏଭଳି ଚେତାବନୀ ଦେଇସାରିଛନ୍ତି। ବିଶ୍ୱରେ ଆର୍ଥିକ ଝଡ଼ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ସତର୍କ କରାଇ ଦେଇଛନ୍ତି।