ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ଗାଇଡଲାଇନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ଏବଂ ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ କରାଯାଇଛି । ଏ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି । ଯେଉଁମାନେ ରେଳରେ କିମ୍ବା ବିମାନରେ ଓଡ଼ିଶାକୁ ଆସିବେ ସେମାନେ ପ୍ରଥମେ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ନାଁ ପଞ୍ଜୀକରଣ କରିବେ । ଯଦି କୌଣସି କାରଣରୁ କେହି ପଞ୍ଜୀକରଣ କରିପାରି ନାହାନ୍ତି ତେବେ ସେମାନଙ୍କ ତଥ୍ୟ ଭାରତ ସରକାର ଅଥବା ରେଳ କର୍ତ୍ତୃପକ୍ଷଙ୍କଠାରୁ ପାଇବା ମାତ୍ରେ ରାଜ୍ୟ ସରକାରଙ୍କ ଇଲେକ୍ଟୋନିକ୍‌ ଏବଂ ଆଇଟି ବିଭାଗ କଲ୍‌ ସେଣ୍ଟରରେ ସମ୍ପୃକ୍ତ ଯାତ୍ରୀଙ୍କ ସହ ଯୋଗାଯୋଗ କରାଯିବ। ଏହାପରେ ତାଙ୍କ ତଥ୍ୟ ସଂଗ୍ରହ କରାଯିବ। ରେଳ ଯୋଗେ ଫେରୁଥିବା ଯାତ୍ରୀଙ୍କ ପାଇଁ ଷ୍ଟେଶନକୁ ସିଲ୍‌ କରାଯାଇ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ନିୟମିତ ତଦାରଖ କରାଯିବ। ଯେଉଁମାନେ ଭୁବନେଶ୍ୱରରୁ ଅନ୍ୟସ୍ଥାନକୁ ଯିବେ ସେମାନେ ଟିକେଟ ଦେଖାଇ ସେମାନେ ଯାତ୍ରା କରିପାରିବେ । ପ୍ଲାଟଫର୍ମକୁ ପଶିବା ପୂର୍ବରୁ ତାଙ୍କୁ ସ୍କ୍ରିନିଂ କରାଯିବ। ପରେ ସେମାନେ ସିଧା ଗନ୍ତବ୍ୟସ୍ଥଳକୁ ଯାଇପାରିବେ ବୋଲି ସେ କହିଛନ୍ତି ।