(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): ବିମାନରେ ବଳକା ଖାଦ୍ୟ ଓ ରାସନ ସାମଗ୍ରୀକୁ ଚୋରି କରିବା ଅଭିଯୋଗରେ ଏୟାର ଇଣ୍ଡିଆର ୪ ଜଣ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଏୟାର ଇଣ୍ଡିଆ ସିଏମ୍ଡି ୨୦୧୭ ଅଗଷ୍ଟରେ ଏକ ଆଭ୍ୟନ୍ତରୀଣ ସର୍କୁଲାର ଜାରି କରି କହିଥିଲେ ଯେ, ବିମାନ ବନ୍ଦରରେ ବିମାନ ପହଞ୍ଚିବା କ୍ଷଣି ବଳକା ଖାଦ୍ୟ ଓ ରାସନ ସାମଗ୍ରୀକୁ କର୍ମଚାରୀମାନେ ନିଜର ବ୍ୟକ୍ତିଗତ କାର୍ୟ୍ୟ ଲାଗି ଚୋରାଇ ନେଉଛନ୍ତି। ଏ ଦିଗରେ ସତର୍କ ରହିବା ଲାଗି ସେ ଚେତାଇ ଥିଲେ। ଏହାକୁ ଭିତ୍ତି କରି କ୍ୟାଟରିଂ ବିଭାର ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ୬୩ ଦିନ,ବରିଷ୍ଠ ସହାୟକଙ୍କୁ ୩ ଦିନ ନିଲମ୍ବିତ କରାଯାଇଥିବା ବେଳେ ୨ ଜଣ କ୍ୟାବିନ କ୍ରୁ କର୍ମଚାରୀଙ୍କୁ ଆନ୍ତର୍ଜାତୀୟ ଫ୍ଲାଇଟ୍ରୁ ଘରୋଇ ଫ୍ଲାଇଟ୍କୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ କମ୍ପାନୀ ମୁଖପାତ୍ରଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇନାହିଁ।