ବିନା ବିରୋଧୀ ଦଳ ନେତାରେ ୨ ବର୍ଷ ହେଲା ଚାଲିଛି ବିଧାନସଭା

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନାରେ ସଂକ୍ରମିତ ହେବା ପରେ ଅସୁସ୍ଥତା କାରଣରୁ ଦୀର୍ଘ ଦୁଇ ବର୍ଷ ଧରି ବିଧାନସଭାର କୌଣସି ବି ଅଧିବେଶନରେ ଯୋଗ ଦେଇନାହାଁନ୍ତି। ଶ୍ରୀ ନାୟକ ଅସୁସ୍ଥତା କାରଣରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦୁଇ ବର୍ଷ ହେଲା ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠୁଛି। ବିରୋଧୀ ଦଳ ନେତା କିଏ ହେବ ସେ ନେଇ ବିଜେପି ବିଧାୟକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ତେବେ ବିରୋଧୀ ଦଳ ନେତା ପଦବୀ ଲାଗି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାମ ସର୍ବାଗ୍ରେ ରହିଛି। ତେବେ ବିରୋଧୀ ଦଳ ନେତା ଶ୍ରୀ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଦ୍ରୁତଗତିରେ ଉନ୍ନତି ପରିଲକ୍ଷିତ ହେଉଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସଚେତକ ଶ୍ରୀ ମାଝିଙ୍କ ସୂଚନା ଅନୁସାରେ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା କାରଣରୁ ବହୁ ଦିନ ହେଲା ବିଧାନସଭାକୁ ଆସିପାରୁ ନାହାଁନ୍ତି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଚଳିତ ମୌସୁମୀ ଅଧିବେଶନରେ ଯୋଗଦେବା ସମ୍ଭବ ହୋଇନପାରେ। ଅଧିବେଶନରେ ବିରୋଧୀ ଦଳ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆଗକୁ ଦଳ ଯାହା ନିଷ୍ପତ୍ତି ନେବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।