(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟ ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥ ମନ୍ତ୍ରଣାଳୟ ୨୦୧୭-୧୮ ଆର୍ଥିକ ବର୍ଷରେ ସଂସଦର ବିନାନୁମତିରେ ୧୧୫୭କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ମନ୍ତ୍ରଣାଳୟ ନୂଆ ସେବା ଅଥବା ନୂଆ ପଦ୍ଧତି ଆପଣାଇବା ଲାଗି ଠିକ୍ ବ୍ୟବସ୍ଥା ଗ୍ରହଣ କରି ନଥିଲା। ଏହି କାରଣରୁ ଅତିରିକ୍ତ ଖର୍ଚ୍ଚ ବଢ଼ିଛି। ସିଏଜି ରିପୋର୍ଟ ଅନୁଯାୟୀ, ୧୧୫୬.୬୦ କୋଟି ଟଙ୍କାକୁ କେତେକ ଭାଗରେ ଖର୍ଚ୍ଚ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ବ୍ୟାପାର ବିଭାଗ ଅତିରିକ୍ତ ଖର୍ଚ୍ଚ କରିବା ଲାଗି ସଂସଦରେ ବିଲ୍ ଉପସ୍ଥାପନ କରି ନ ଥିଲା। ଗାଇଡଲାଇନ ଅନୁଯାୟୀ, ଅନୁଦାନ ସହାୟତା, ସବ୍ସିଡି ଏବଂ ପ୍ରମୁଖ କାର୍ୟ୍ୟ ଲାଗି ନୂଆ ସେବା ବ୍ୟବସ୍ଥାକୁ ବଢ଼ାଇବା ଉଦ୍ଦେଶ୍ୟରେ ପୂର୍ବରୁ ସଂସଦର ଅନୁମତି ନେବାକୁ ପଡିଥାଏ। ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ଏହାର ୮୩ତମ ରିପୋର୍ଟରେ ଅନୁଦାନ ସହାୟତା ଏବଂ ସବ୍ସିଡି ବ୍ୟବସ୍ଥାକୁ ବଢ଼ାଇବା ନେଇ ଗମ୍ଭୀରତାର ସହ ବିଚାର କରିଥିଲେ। ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗ ଦ୍ୱାରା ତ୍ରୁଟିପୂର୍ଣ୍ଣ ବଜେଟ ଅନୁମାନ ଏବଂ ଆର୍ଥିକ ନିୟମ ପାଳନରେ ଭୁଲ୍ କରୁଥିବା ଯୋଗୁ ପାଣ୍ଠି ବଢ଼ାଇବାରେ ତ୍ରୁଟି ହେଉଛି ବୋଲି ପିଏସି କହିଥିଲେ। ବିଭିନ୍ନ ବିଭାଗ ଦ୍ୱାରା ଅର୍ଥ ବ୍ୟୟ ଲାଗି ଏକ ସ୍ବତନ୍ତ୍ର ବ୍ୟବସ୍ଥା ଗଠନ ଲାଗି ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ନେଉ ବୋଲି ସିଏଜି ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି।