(ଜଳେଶ୍ୱର/ ଅଜିତ ସାହୁ): ସମ୍ପତ୍ତି ଲୋଭରେ ବାପାଙ୍କୁ ଅପହରଣ କଲା ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା, ବାଲିଆପାଳ ଥାନ ବଡ଼ସିମୂଳିଆ ଗାଁରେ । ଅପହରଣ ହୋଇଥିବା ବୃଦ୍ଧଙ୍କ ଜୀବନପତି ବିପଦ ଅଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି ବୃଦ୍ଧଙ୍କ ସ୍ତ୍ରୀ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ ବାଲେଶ୍ୱର ଜିଲ୍ଲା, ବାଲିଆପାଳ ଥାନା ବଡ଼ସିମୂଳିଆ ଗାଁରେ। ଗ୍ରାମର ଦିବାକର ନାଥ ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ଜଣାଶୁଣା। ୭୬ ବର୍ଷର ବୁଢା ବାପା ଅପରାହ୍ନ ରେ ଭ୍ରମଣ କରୁଥିବା ବେଳେ ସାନ ପୁଅ, ବଡ଼ ପୁଅର ପୁଅ (ନାତି ) ମିଳିତ ଭାବେ ବଳ ପୂର୍ବକ ତାଙ୍କୁ ଅପହରଣ କରି ଘରେ ଅଟକ କରି ରଖିଛନ୍ତି। ଦିବାକର ନାଥଙ୍କର ତିନିପୁଅ ଜଣେ ଝିଅ । ଝିଅ କୁ ବିବାହ ଦେଇ ପୁଅ ବୋହୂ,ନାତି ନାତୁଣୀଙ୍କ ସହିତ ଖୁସିରେ ବାର୍ଦ୍ଧକ୍ୟ ଜୀବନ କାଟିବେ ବୋଲି ସ୍ୱପ୍ନ ଦେଖିଥିଲେ। ତେବେ ବଡ଼ ପୁଅ ସୁଧାଂଶୁ ନାଥ ଓ ସାନ ପୁଅ ସିତାଂସୁ ନାଥ ବୁଢା ବାପ ମାଆଙ୍କୁ ପାଖରେ ରଖିବାକୁ ରାଜି ହୋଇ ନଥିଲେ। ଏଥିପାଇଁ ପରିବାର ବନ୍ଧୁବାନ୍ଧବ ଗ୍ରାମବାସୀଙ୍କୁ ନେଇ ସମସ୍ୟାର ସମଧାନ ପାଇଁ ଚେଷ୍ଟା କରାଯାଇଥିଲେ । କିନ୍ତୁ ସବୁ ବିଫଳ ହୋଇଥିଲା। ତେବେ ଚଳିତ ମାସ ୯ ତାରିଖ ଅପରାହ୍ଣ ସମୟରେ ଗାଁଆ ରାସ୍ତାରେ ଚଲାବୁଲା କରୁଥିବା ବେଳେ ତାଙ୍କ ବଡ଼ ପୁଅର ପୁଅ (ନାତି) ମାନସ କୁମାର ନାଥ ଓ ସାନ ପୁଅ ସିତାଂସୁ ନାଥ ମିଳିତ ଭାବେ ବଳପୂର୍ବକ ଏକ ବାଇକ ଯୋଗେ ଦିବାକରଙ୍କୁ ଅପହରଣ କରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଦିବାକର ଘରକୁ ନ ଫେରିବାରୁ ତାଙ୍କ ମଝିଆ ପୁଅ ଓ ବୋହୂ ଖୋଜା ଖୋଜି କରି ଜାଣିବାକୁ ପାଇଲେ ଯେ ତାଙ୍କ ବଡ ଭାଇଙ୍କ ପୁଅ ଓ ତାଙ୍କ ସାନ ଭାଇ ଦୁହେଁ ମିଶି ବୃଦ୍ଧଙ୍କୁ ଅପହରଣ କରିଛନ୍ତି । ଏହା ଶୁଣି ସେମାନେ ବାପାଙ୍କୁ ଆଣିବା ପାଇଁ ବଡ ଭାଇଙ୍କ ଘରକୁ ଯାଇଥିଲେ କିନ୍ତୁ ସେଠାରେ ସେମାନଙ୍କ ବାପାଙ୍କ ସହ ଦେଖା କରିବା ତ ଦୂରର କଥା ଓଲଟି ବଡ ଭାଇ ଓ ସାନଭାଇ ତାଙ୍କୁ ଗାଳିଗୁଲଜ କରିଥିଲେ । ଏନେଇ ମଝିଆଁ ପୁଅ ମାଙ୍କୁ ଘଟଣଶ ବିଷୟରେ ଜଣାଇବା ପରେ ମା ଓ ମଝିଆଁ ପୁଅ ମିଶି ବାଳିଆପାଳ ଥାନାରେ ପୃଥକ ପୃଥକ ଅଭିଯୋଗ କରିଛନନ୍ତି ।