(ରିପୋର୍ଟରସ ଟୁଡେ/ନୂଆଦିଲ୍ଲୀ): କେନ୍ଦ୍ର ସରକାର କ୍ରମାଗତ କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍କୁ ବିକ୍ରି କରିଦେବା ଲାଗି ବିଚାର କରୁଛନ୍ତି। କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ବ୍ୟତୀତ ଏହାକୁ ବନ୍ଦ କରିଦେବା ନେଇ ବିକଳ୍ପ ଚିନ୍ତା କରିବାକୁ ସରକାରଙ୍କ ପକ୍ଷରୁ କମ୍ପାନୀର ଶୀର୍ଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଥାଉ କି, ଆର୍ଥିକ ବର୍ଷ ୨୦୧୭-୧୮ ଶେଷ ସୁଦ୍ଧା କମ୍ପାନୀର କ୍ଷତିର ପରିମାଣ ୩୧,୨୮୭ କୋଟି ଟଙ୍କାରେ ପହଞ୍ଚତ୍ବା ପରେ ଶୀର୍ଷ ଅଧିକାରୀମାନେ କେନ୍ଦ୍ର ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନଙ୍କୁ ଭେଟିଥିଲେ। ଏହି ଆଲୋଚନା ସମୟରେ ସଚିବଙ୍କ ପକ୍ଷରୁ ସ୍ପଷ୍ଟ ବାଣୀ ଶୁଣାଇ ଦିଆଯାଇଛି। ଏହି ଆଲୋଚନା ସମୟରେ ବିଏସ୍ଏନ୍ଏଲ୍ ଅଧ୍ୟକ୍ଷ ଅନୁପମ ଶ୍ରୀବାସ୍ତବ ଏକ ପ୍ରେଜେଣ୍ଟେଶନ ଦେଇଥିଲେ। ଯେଉଁଥିରେ କମ୍ପାନୀର ଆର୍ଥିକ ସ୍ଥିତି, ଏହାର ମୋଟ କ୍ଷତିର ପରିମାଣ, ରିଲାଏନ୍ସ ଜିଓ ଆସିବା ପରେ ଏହାର କାରବାର ଉପରେ ପଡିଥିବା ପ୍ରଭାବ, କର୍ମଚାରୀଙ୍କ ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍ଏସ୍ ) ଏବଂ ସମୟ ପୂର୍ବରୁ ଅବସର ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା।