ପୁଲିସଠାରୁ ନ୍ୟାୟ ନପାଇ ପରିବାର ଲୋକ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ

(ସରୋଜ କୁମାର ରାଉତ/ରିପୋଟର୍ସ ଟୁଡେ): ଘରୁ ଡାକି ନେଇ ହତ୍ୟା କଲେ । ପୁଲିସ ଏକ ହତ୍ୟା ମାମଲା ରୁଜୁ କଲା କିନ୍ତୁ ହତ୍ୟା କାଣ୍ଡ ଘଟାଇ ଥିବା ପ୍ରକୃତ ଅପରାଧିକୁ ପୁଲିସ ଧରିବା ପରିବର୍ତ୍ତେ ଆଉ କାହାକୁ ଧରି ଜେଲ ପଠାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏମିତି ଏକ ଘଟଣା ଘଟିଛି ଜଗତିସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ କଟରା ଗାଁରେ । ଏହି ହତ୍ୟାକାଣ୍ଡର ଶିକାର ହୋଇଥିଲେ ରଶ୍ମିରଞ୍ଜନ ସ୍ୱାଇଁ ।
ସୂଚନାନୁଯାୟୀ ୨୦୧୯ ମସିହା ଅକ୍ଟୋବର ମାସ ୨୨ ତାରିଖ ଦିନ ସେହି ଗ୍ରାମର ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଏକ ଅଜଣା ଫୋନ ନମ୍ବରରୁ ଫୋନ ଆସିଥିଲା । ଏହି ଫୋନ କଲ ପାଇବା ପରେ ରଶ୍ମି କଟରା ବଜରକୁ ଯାଇ ଆଉ ଫେରି ନଥିଲେ । ରଶ୍ମି ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ । ବହୁ ଖୋଜା ଖୋଜି ପରେ ସେମାନେ ମଧ୍ୟ ରଶ୍ମିଙ୍କୁ ନ ପାଇ ଶେଷରେ ଥାନାର ଆଶ୍ରୟ ନେଇଥିଲେ । ସେହି ମାସ ୨୪ ତାରିଖରେ ରଶ୍ମିଙ୍କ ବଡ ଭାଇଙ୍କୁ ଏକ ଫୋନ କଲ ଆସିଥିଲା ।ସେହି କଲରେ ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କୁ କେହି ମାରି ଗାଁ ପୋଖରୀରେ ପକାଇ ଦେଇଥିବା କହିଥିଲା । କଲ ପାଇବାପରେ ରଶ୍ମିଙ୍କ ପରିବାର ଲୋକ ତୁରନ୍ତ ଘଟଣାସ୍ଥଳକୁ ଯାଇ ରଶ୍ମିଙ୍କ ମୃତଦେହ ପୋଖରିରେ ଭାସୁଥିବା ଦେଖିଥିଲେ । ସେହି ଦିନ ପରିବାର ଲୋକ ତାଙ୍କ ପୁଅକୁ କେହି ହତ୍ୟା କରିଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କୁ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ପଠାଇଥିଲା । କିନ୍ତୁ ପରିବାର ଲୋକଙ୍କ ଅଭିଯୋଗନୁଯାୟୀ ସେହି ତିନି ଜଣ ଅସଲି ହତ୍ୟାକରି ନୁହେଁ । କାହାର ଇସାରାରରେ ସେମାନେ ନିଜ ମୁଣ୍ଡରେ ଦୋଷ ସମବୁକୁ ନେଉଛନ୍ତି । ପୁଲିସ ସବୁ ଜାଣି ଚୁପ ବସିଛି । ଅସଲ ଅପରାଧୀ ଏବେ ବି ଖୁଲମଖୁଲା ବୁଲୁଛି ବୋଲି ଅଭିଯୋଗ ହୋଇଛି । ଏନେଇ ପୁଲିସଠାରୁ ନ୍ୟାୟ ନପାଇବାରୁ ପରିବାର ଲୋକ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି ।