(ରିିପୋଟର୍ସ ଟୁଡେ/ଭୁବନେଶ୍ୱର): ପୁଣି ଟ୍ରେନ୍ ଚେନ୍ ଟାଣି ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ। ୩୨୦ ଜଣ ପ୍ରବାସୀ ଶ୍ରମିକ ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ୍ୱେ ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଆଜି ଭୋର ୪ଟା ୩୮ ସମୟରେ ଏହି ଘଟଣା ଘଟିଛି । ଗୁଜୁରାଟର ଗାନ୍ଧିଧାମରୁ ବାହାରିଥିବା ଟ୍ରେନ କଟକ ଜିଲ୍ଲାର ନିର୍ଗୁଣ୍ଡି ଅଭିମୁଖେ ଆସୁଥିଲା । କିନ୍ତୁ ବରଗଡ଼ ଓ ନୂଆପଡ଼ା ଜିଲ୍ଲାର ପ୍ରବାସୀମାନେ ନିର୍ଗୁଣ୍ଡି ଠାରୁ ଘରକୁ ଫେରିବାରେ ଖର୍ଚ୍ଚାନ୍ତ ହେବା ସହ ହଇରାଣ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଟ୍ରେନର ଚେନ୍ ପୁଲିଂ କରିଥିଲେ । କଣ୍ଟାବାଞ୍ଜି ରେଳ ଷ୍ଟେସନ କର୍ମଚାରୀ ଓ ସ୍ଥାନୀୟ ପୁଲିସ୍ ଷ୍ଟେସନରେ ପହଞ୍ଚିଛନ୍ତି। ଶ୍ରମିକମାନେ ଏବେ କଣ୍ଟାବାଞ୍ଜି ଷ୍ଟେସନରେ ଅଛନ୍ତି। ଓଡ଼ିଶାରେ ଟ୍ରେନ୍ ଚେନ୍ ପୁଲିଂ କରି ପ୍ରବାସୀମାନେ ଖସିଯିବା ନୂଆ କଥା ନୁହେଁ । କାରଣ ରବିବାର ମଧ୍ୟ ଏଭଳି କାମ ହୋଇଥିଲା । ଆନ୍ଧ୍ରପ୍ରଦେଶରୁ ଭଦ୍ରକ ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚେନ୍କୁ ଗଂଜାମ ଜିଲ୍ଲାରେ ଅଟକାଯାଇଥିଲା । ଏହି ଟ୍ରେନ ପାଇଁ ଖୋର୍ଦ୍ଧାରେ ଷ୍ଟପେଜ ଥିଲା । କିନ୍ତୁ ଗଂଜାମ ଜିଲ୍ଲାର ଶତାଧିକ ପ୍ରବାସୀ ଚିଳିକା ଷ୍ଟେସନ ନିକଟରେ ଚେନ୍ପୁଲିଂ କରି ଖସିଯାଇଥିଲେ ।