ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ ରାଜ୍ୟ ସରକାର । ଏନେଇ ଉଚ୍ଚ ନ୍ୟାୟାଳୟକୁ ସରକାର ଅବଗତ କଲେ । ବିଜ୍ଞପ୍ତି ପ୍ରତ୍ୟାହାର ସହ ସାନି ତାଲିକା ସମ୍ପର୍କରେ କୋର୍ଟଙ୍କୁ ଜଣାଯାଇଛି । ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ।
ଜାନୁଆରୀ ୩ ସୁଦ୍ଧା ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ବୋଲି ସରକାର କୋର୍ଟଙ୍କୁ ଜଣାଇଛନ୍ତି । ସେହିଭଳି ଜାନୁଆରୀ ୫ ସୁଦ୍ଧା ଅଭିଯୋଗର ସମାଧାନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଜାନୁଆରୀ ୭ରେ ସଂରକ୍ଷଣ ନେଇ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ ସରକାର । ମାର୍ଚ୍ଚ ୮ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ କମିଶନ ନଭେମ୍ବର ୧୬ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ସିଟ୍ ସଂରକ୍ଷଣ ତାଲିକା ଜାରି କରିଥିଲେ । ମୋଟ ୮୫୩ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ମାତ୍ର ୧୦୪ଟି ଆସନ ସଂରକ୍ଷିତ ରହିଛି । ଏଥିରେ ୧୪ଟି ଜିଲ୍ଲାର ଜିଲ୍ଲା ପରିଷଦରେ ଗୋଟିଏ ବି ଆସନ ପଛୁଆ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ହୋଇନାହିଁ ।