(ନିର୍ମଳେନ୍ଦୁ ମିଶ୍ର/ନରସିଂପୁର): କଟକ ଜିଲ୍ଲା ନରସିଂପୁର ଥାନା ଆଇଆଇସିଙ୍କୁ ଦୁର୍ନୀତିଗ୍ରସ୍ତ ତଥା ଆଇନ ଉଲଙ୍ଘନକାରୀ ବୋଲି ଦର୍ଶାଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନରସିଂପୁର ଅଞ୍ଚଳର ଯୁବ ସମାଜସେବୀ ସୁବ୍ରତ ମିଶ୍ର । ଥାନା ଅଧିକାରୀଙ୍କ ତୁରନ୍ତ ବଦଳି ଦାବିରେ ଆଜି ସେ ଧାରଣା ଓ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଗତ ମାସ ୨୬ ତାରିଖ ସଂଧ୍ୟାରେ ନରସିଂପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ସୁବ୍ରତ ମିଶ୍ରଙ୍କୁ ଏକ ଘଟଣାରେ ପଚରାଉଚରା କରିବା ପାଇଁ ନରସିଂପୁର ଓ ବାଲିଗୁଡା ପୋଲିସ ଘରୁ ଉଠାଇ ନେଇଥିଲା । ଦୀର୍ଘ ୩ ଘଣ୍ଟା ଜେରା କରିବା ପରେ କୌଣସି ପ୍ରମାଣ ନପାଇ ଛାଡି ଦେଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ପରଦିନ ସୁବ୍ରତ ସାମ୍ବାଦିକ ସମ୍ମିଳନୀ କରି ପୋଲିସର ଏଭଳି କାର୍ଯ୍ୟକଳାପରେ ତାଙ୍କର ସମ୍ନାନହାନୀ ହୋଇଥିବା କହିଥିଲେ । ଏହାସହ ଉକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ଏହି ଘଟଣାକୁ ୧୫ ଦିନ ବିତିଯାଇଥିଲେ ବି ପୋଲିସ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଏଣୁ ନରସିଂପୁର ଥାନା ଅଧିକାରୀଙ୍କ ବଦଳି ଦାବି କରି ଆଜି ଠାରୁ ଅନଶନରେ ବସିଛନ୍ତି ସମାଜସେବୀ ସୁବ୍ରତ ।