ଭୁବନେଶ୍ୱର s: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୨ ଯାଏଁ ବର୍ଷା ହେବ । ବେଶି ବର୍ଷା ହେବ ଦକ୍ଷିଣ ଓଡ଼ିଶାରେ । ୟା’ ଭିତରେ ୧୧ କିମ୍ବା ୧୨ ତାରିଖରେ (ବୁଧବାର/ଗୁରୁବାର) ରାଜ୍ୟରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ । ଏଭଳି ଆକଳନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଓଡ଼ିଶାର ଅନେକ ଜାଗାରେ ବି ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, ରାୟଗଡ଼ାର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାବାଦ୍ ଉପକୂଳ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଅଛି । ୧୧ରେ ବର୍ଷା ପ୍ରକୋପ ବଢ଼ିବ । ସାରା ରାଜ୍ୟରେ ବର୍ଷା ହେବ । କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି । ରାୟଗଡ଼ା, ନବରଙ୍ଗପୁର, ପୁରୀ, କଳାହାଣ୍ଡି ଓ କନ୍ଧମାଳରେ ବି ପ୍ରବଳ ବର୍ଷା ଆଶଙ୍କା ଅଛି । ୧୨ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ।