ତୈଳଦର ବୃଦ୍ଧିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲେ ଜୁବଛାତ୍ର ଜନତା ଦଳ

(ଭୁବନେଶ୍ୱର) : ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ସହିତ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନଦେବାକୁ ହୋଇଥିବା ଷଡଯନ୍ତ୍ର ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନକୁ ନେଇ ଆନ୍ଦୋଳନ କରାଯାଇଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜଭବନ ନିକଟରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ୫ହଜାରରୁ ଉଦ୍ଧ୍ୱର୍ ଯୁବ ଓ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ମାନ୍ୟବର ବିଧାୟକ ତଥା ସାଧାରଣ ସମ୍ପାଦକ(ଯୁବଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଦି ଉପସ୍ଥିତ ଥିଲେ । ଉପସ୍ଥିତ ଛାତ୍ର, ଯୁବକ ଓ ବରିଷ୍ଠ ନେତାମାନେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଲଗାମଛଡା ଦରବୃଦ୍ଧି କରିବା ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକେ କିଭଳି ଦରବୃଦ୍ଧିର ସମ୍ମୁଖୀନ ହୋଇଛନ୍ତି ତାହା ଦର୍ଶାଇବା ସହିତ ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଦର ହ୍ରାସ ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ଯଦି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ଦର ନକମାନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ନେଇ ଚେତାବନୀ ଦେଇଛି ବିଜୁଛାତ୍ର ଜନତା ଦଳ । ଏହି କାର୍ୟ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ । କେନ୍ଦ୍ର ବିରୁଦ୍ଧରେ ଚାଲିଥିବା ଏହି ଆନ୍ଦୋଳନ କାର୍ୟ୍ୟକ୍ରମରେ ଆସନ୍ତା କାଲି (ଡିସେମ୍ବର ୩ ତାରିଖ)ରେ ବିଜୁ ମହିଳା ଜନତାଦଳ ପକ୍ଷରୁ ରନ୍ଧନଗ୍ୟାସ ଦରବୃଦ୍ଧି ନେଇ ଜୋରଦାର ପ୍ରତିବାଦ କରାଯିବ ଏବଂ ୪ତାରିଖରେ ବେକାରୀ ସମସ୍ୟା ନେଇ ଯୁବ ଓ ଛାତ୍ର ସଂଗଠନ ଆନ୍ଦୋଳନ କରିବାକୁ ସ୍ଥିର କରିଥିବା ନେଇ ଏକ ପ୍ରେସ ରିଲିିଜ ଜାରି କରିଛି ବିଜୁ ଛାତ୍ର ଜନତା ଦଳ ।