ଠିକାଦାରଙ୍କୁ ଠକିଲେ ଏଏସଆଇ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥାଏ । ଗରିବ ଠାରୁ ଧନୀ ସମସ୍ତେ ନ୍ୟାୟ ପାଇବା ପାଇଁ ଆଇନର ଦ୍ୱାରସ୍ଥ ହୋଇଥାଆନ୍ତି । କିନ୍ତୁ ଏୟାରଫିଲ୍ଡ ଥାନାରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଖାକି ବାବୁଙ୍କ ବିରୋଧରେ ଏଠାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଏହା ଖାକି ପୋଷାକର ପାୱାର ନା କୌଣସି ବଡ଼ଲୋକିଆଙ୍କ ହାତ ରହିଛି ବାବୁଙ୍କ ଉପରେ । ଏୟାରଫିଲ୍ଡ ପୋଲିସର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ନାପସନ୍ଦ କରାଯିବା ସହ ଜଣେ ଠକ ପୋଲିସ କର୍ମଚାରୀଙ୍କୁ ଗିରଫ କରିବାକୁ ପୋଲିସ କାହିଁକି ଡ଼ରୁଛି । ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ରେ ରହୁଥିବା ଠିକାଦାର ଅନୁପ କୁମାର ରଥଙ୍କୁ ୨୦୧୮ ନଭେମ୍ବର ମାସରେ ଉକ୍ତ ଥାନାରେ ଏଏସଆଇ ଭାବେ କାର୍ଯ୍ୟ କରୁଥିବା ନବଘନ ସାହୁ ପଟିଆ ଅଞ୍ଚଳରେ ରେ ଏକ ଘର କରିବା ନିମନ୍ତେ କହିଥିଲେ । ଉକ୍ତ ଅଂଚଳରେ ଘର ନିର୍ମାଣ ପାଇଁ ନବଘନ ଓ ଅନୁପଙ୍କ ମଧ୍ୟରେ ହ୍ୱାର୍ଟସପରେ ଆଲୋଚନା ହୋଇଥିଲା । ଯେହେତୁ ଅନୁପ ଏୟାରଫିଲ୍ଡ ଅଂଚଳର ତେବେ ସେ ନବଘନଙ୍କୁ ଆଗରୁ ଚିହ୍ନି ଥିଲେ । ଫଳରେ ପଟିଆ ଅଂଚଳରେ ଘର ନିର୍ମାଣ କରିବାକୁ ରାଜି ହୋଇଥିଲେ । ଉକ୍ତ ଘର ନିର୍ମାଣ ପାଇଁ ୮୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଠିକାଦାର ଅନୁପ ଏଏସଆଇ ନବଘନଙ୍କୁ ସୂଚନା ଦେଇଥିଲେ । ନଭେମ୍ବର ମାସରେ ଘର କାମ ଆରମ୍ଭ ହୋଇଥିଲା ।ପ୍ରାଥମିକ ପର୍ଯ୍ୟାୟରେ ଘରର ତଳ ମହଲା ନିର୍ମାଣରେ ୨୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଉକ୍ତ ଟଙ୍କାରୁ ମାତ୍ର ୧୩ ଲକ୍ଷ ଟଙ୍କା ନବଘନ ଅନୁପଙ୍କୁ ଦେଇଥିଲେ ମଧ୍ୟ ବାକି ୭ଲକ୍ଷ୫୯ ହଜାର ଟଙ୍କା ଗତ ୯ ମାସ ହେବ ଦେଉନାହାନ୍ତି । ଯେଉଁ ସଂକ୍ରାନ୍ତରେ ଅନୁପ ପ୍ରଥମେ ପୋଲିସ କମିଶନଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଏନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନାଧିକାରୀ ନିଜ ଥାନାର ଜଣେ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ ନାହିଁ ବୋଲି ଅନୂପଙ୍କୁ କହିଥିଲେ । ଫଳରେ ଅନୁପ ଭୁବନେଶ୍ୱର ଏସଡ଼ିଜେଏମଙ୍କ କୋର୍ଟରେ ଏଏସଆଇ ନବଘନ ସାହୁ ଙ୍କ ବିରୋଧରେ ନଭେମ୍ବର ୨୮ ତାରିଖରେ ଏକ ୱାନସିସି କେସ ନଂ (୪୯୯୭/ ୨୦୧୯)ଫାଇଲ କରିଥିଲେ । ପରେ ଏସଡ଼ିଜେଏମଙ୍କ କୋର୍ଟ ନବଘନଙ୍କ ବିରୋଦ୍ଧରେ ମାମଲା ରୂଜୁ କରିବା ନିମନ୍ତେ ଏୟାରଫିଲ୍ଡ ଥାନାକୁ ଗତ ଡ଼ିସେମ୍ବର ୪ତାରିଖରେ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୫ ଡ଼ିସେମ୍ବରରେ ଏୟାରଫିଲ୍ଡ ଥାନା ପୋଲିସ ନବଘନଙ୍କ ବିରୋଧରେ ଥାନା ନଂ (୨୨୭/୧୯)ରେ ମାମଲା ରୁଜୁ କରିବା ସହିତ ଆଇପିସିର ଧାରା ୪୨୦(ଠକେଇ)୫୦୬(ହତ୍ୟା ଧମକ ଦେବା)୨୯୪(ଗାଳିଗୁଲଜ କରିବା )୩୪୧ (ବଦ୍ଧକ ରଖିବା) ଭଳି ସଙ୍ଗୀନ ଦଫା ରୁଜୁ କରିଥିଲା । କିନ୍ତୁ ଇତି ମଧ୍ୟରେ ମାମଲା ରୁଜୁ କରିବାର ୧୦ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ଏଏସଆଇ ନବଘନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ପୂର୍ବ ପରି ନବଘନ ପ୍ରତି ଦିନ ଥାନାକୁ ଆସୁଥିବା ଦେଖାଯାଇଛି । ଏସବୁ ମଧ୍ୟରେ ଗତ ୧୦ତାରିଖରେ ନବଘନ ତରଙ୍କ ଆଗୁଆ ଜାମିନ ନିମନ୍ତେ ହାଇକୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି । ଘଟଣା ସଂକ୍ରାନ୍ତରେ ଏୟାରଫିଲ୍ଡ ଥାନାଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆମେ ଏକ ଠକେଇ ମାମଲା ରୁଜୁ କରିଛୁ । କିନ୍ତୁ ମାମଲଶ ରୁଜୁ ହେବା ପରେ ଅଭିଯୋଗକାରୀ ପୋଲିସ ନିକଟକୁ ଆସିନାହିଁ । ଯେହେତୁ ଏହା ଏକ ଠକେଇ ମାମଲା ତେଣୁ ଏଥିପାଇଁ ଆବଶ୍ୟକ କାଗଜପତ୍ରର ଆବଶ୍ୟକ ରହିଛି । ଏତଲାକାରୀ ଥାନାକୁ ଆସି ନିଜ ପାଖରେ ରଖିଥିବା ପ୍ରମାଣ ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଦାନକରିବା ପରେ ନିଶ୍ଚିତ ଭାବେ ଯଦି ପ୍ରମାଣ ମିଳେ ତେବେ ସମ୍ପୃକ୍ତ ଏଏସଆଇ ନବଘନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି ।